କରୋନା ପାଇଁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି

କରୋନା ପାଇଁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି

ଦେଶ -ବିଦେଶ ବଡ ଖବର

#କରୋନା_ପାଇଁ_ଆମ_ଜୀବନ_ଶୈଳୀରେ_ପରିବର୍ତ୍ତନ_ଆସିଛି                ନୂଆଦିଲ୍ଲୀ : କରୋନା କାରଣରୁ ଆମର ଜୀବନ ଶୈଳୀରେ ପରିବର୍ତନ ଆସିଛି । ଛେପ ପକାଇବାର ଖରାପ ଅଭ୍ୟାସକୁ ଆମକୁ ତ୍ୟାଗ କରିବା ଉଚିତ ବୋଲି ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ସେ କହିଛନ୍ତି ଯେ କରୋନା ଯୋଗୁଁ କେତେକ ସକାରାତ୍ମକ ପରିବର୍ତ୍ତନ ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ୱାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତନ ଆଣିଛି । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା । କରୋନା କାରଣରୁ ପରିବର୍ତିତ ପରିସ୍ଥିତିରେ ମାସ୍କ ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି । କହିବାକୁ ଗଲେ ଆମ ଆଖପାଖରେ ମାସ୍କପିନ୍ଧା ବହୁ ଲୋକଙ୍କୁ ଦେଖିବାରେ ଆମେ ଅଭ୍ୟସ୍ତ ନୁହଁ । ହଁ, ଏହାର ଅର୍ଥ ନୁହେଁ, ଯିଏ ମାସ୍କ ପିନ୍ଧିଲା, ସିଏ ରୋଗୀ । ଆଉ ଯେତେବେଳେ ମୁଁ ‘ମାସ୍କ’ କଥା କହେ, ସେତେବେଳେ ମୋର ପୁରୁଣା ଦିନର କଥା ମନେପଡ଼େ । ଆପଣଙ୍କର ବି ମନେଥିବ । ଦିନ ଥିଲା, ଆମ ଦେଶର ଅନେକ ସ୍ଥାନରେ କେହି ଫଳ କିଣିବାକୁ ଗଲେ, ଆଖପାଖ ଲୋକ ପଚାରୁôଥିଲେ, ଘରେ କ’ଣ କିଏ ରୋଗରେ ପ଼ଡ଼ିଛି କି? ଅର୍ଥାତ୍ ରୋଗ ହେଲେ ହିଁ ଫଳ ଖିଆଯାଏ, ଏଭଳି ଏକ ଧାରଣା ଜନମାନସରେ ଥିଲା । ତେବେ ସମୟ ବଦଳିଛି ଏବଂ ଏହି ଧାରଣା ମଧ୍ୟ ବଦଳିଛି । ଠିକ୍ ସେହିପରି ମାସ୍କକୁ ନେଇ ଧାରଣା ଏବେ ବଦଳିବାକୁ ଯାଉଛି । ଆପଣମାନେ ଦେଖିବେ, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ । ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଢାଙ୍କନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନି । ଦେଖନ୍ତୁ, ଏଭଳି ଭୁଲ୍ ଧାରଣା କେବେହେଲେ ମୁଣ୍ଡରେ ରଖିବେନି । ବିଶ୍ୱର ଅନ୍ୟଦେଶମାନଙ୍କ ଅନୁଭୁତି ଆମକୁ ଅନେକ କିଛି କହୁଛି । ଆଉ ପୁଣି, ଆମେ ତ ବାରମ୍ବାର କହିଥାଉ – ସତର୍କତା ହଟିଲା, ତ ଦୁର୍ଘଟଣା ଘଟିଲା । ମନେ ରଖନ୍ତୁ, ଆମ ପୂର୍ବପୁରୁଷ ଏସବୁ ବିଷୟରେ ଖୁବ ଭଲ ଭାବେ ଆମ ମାର୍ଗଦର୍ଶନ କରିଛନ୍ତି । ଆମ ପୂର୍ବପୁରୁଷମାନେ କହିଛନ୍ତି – ଅଗ୍ନି ଶେଷମ୍ ଋଣଃ ଶେଷମ୍, ବ୍ୟାଧିଃ ଶେଷମ୍ ତଥୈବଚ ।ପୁନଃ ପୁନଃ ପ୍ରବର୍ଧେତ୍ ତସ୍ମାତ୍ ଶେଷମ୍ ନ କାରୟେତ । ।

ବନ୍ଧୁଗଣ, ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି । ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା । ଏହା ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ୱାନ ଥିଲା । ଦେଖିବାକୁ ଗଲେ, ଏହି ସମସ୍ୟାକୁ ଆମେ ଆଗରୁ ଜାଣିଛୁ, କିନ୍ତୁ ଏହି ସମସ୍ୟା ସମାଜରୁ ଦୂର ହେବାର ନାଁ ଧରୁ ନ ଥିଲା । ଏବେ ସେ ସମୟ ଆସିଯାଇଛି ଯେ, ଏହି ବଦଭ୍ୟାସକୁ ସବୁଦିନ ପାଇଁ ଶେଷ କରି ଦିଆଯାଉ । କଥାରେ ଅଛି – ବେଟର୍ ଲେଟ୍ ଦାନ୍ ନେଭର୍ । ତେଣୁ ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ । ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ ।