କରୋନା ଦୁଃଖ : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ

କରୋନା ଦୁଃଖ : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ

ଦେଶ -ବିଦେଶ ବଡ ଖବର

#ଭିଟାମାଟିକୁ_ଫେରିବା_ନୋହିଲା_ରେଳରେ_କଟିଗଲେ_୧୬_ଶ୍ରମିକ             ଔରଙ୍ଗାବାଦ   : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ । ମହାରାଷ୍ଟ୍ର ଔରଙ୍ଗାବାଦରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍‌ଗାଡ଼ି ଚଢିଯିବାରୁ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ସକାଳ ସାଢ଼େ ୬ଟାରେ ଔରଙ୍ଗାବାଦ-ଜାଲନା ରେଲଓ୍ବେ ଲାଇନ୍‌ରେ ଘଟିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ୧୮ଜଣ ଶ୍ରମିକ ମହାରାଷ୍ଟ୍ରର ଏକ ଷ୍ଟିଲ ଫ୍ୟାକ୍ଟ୍ରିରେ ସେମାନେ କାମ କରୁଥିଲେ। କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ଫ୍ୟାକ୍ଟ୍ରିରେ କାମଧନ୍ଦା ବନ୍ଦ ହୋଇଯାଇଛି। ଫଳରେ ଶ୍ରମିକଙ୍କ ପାଖରେ ଟଙ୍କା ନ ଥିବା ସହ ଅନ୍ୟାନ୍ୟ ଅସୁବିଧା ଯୋଗୁ ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଲକ୍‌ଡାଉନ ଯୋଗୁ ଯାତାୟାତର ସମସ୍ତ ସାଧନ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଔରଙ୍ଗାବାଦ ଷ୍ଟେସନକୁ ଯାଉଥିଲେ। କାରଣ ମଧ୍ୟପ୍ରଦେଶ ପାଇଁ ଔରଙ୍ଗାବାଦରୁ ଟ୍ରେନ୍‌ ଚଳାଚଳ କରୁଥିଲା। ଏଥିପାଇଁ ଉକ୍ତ ଶ୍ରମିକମାନେ ଜାଲନାରୁ ଟ୍ରେନ୍‌ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ। ତେବେ ବିଶ୍ରାମ ନେବା ପାଇଁ ରାତିରେ ଟ୍ରାକ୍‌ ଉପରେ ଶୋଇଥିବା ଶ୍ରମିକଙ୍କ ଉପରକୁ ସକାଳେ ଏକ ମାଲ୍‌ଗାଡ଼ି ଚଢ଼ିଯାଇଥିଲା। ଫଳରେ ଶ୍ରମିକଙ୍କ ନିଦ୍ରା ଶେଷନିଦ୍ରା ପାଲିଟିଯାଇଥିଲା। ଘଟଣାସ୍ଥଳରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ରେଲଓ୍ବେ ଅଧିକାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ପଠାଇଥିଲେ।