ଓଡ଼ିଶାରୁ ୩ ଝିଅ ପାଇବେ ଜାତୀୟ ସାହସିକତା ପୁରସ୍କାର

ଓଡିଶା ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆଜି ୨୦୧୯ ବର୍ଷ ପାଇଁ ୬୩ ତମ ଜାତୀୟ ସାହସିକତା ପୁରସ୍କାର ନେଇ ଆନୁଷ୍ଠାନିକ ଭାବେ ନାଁ ଘୋଷଣା ହୋଇଛି। ଇଣ୍ଡିଆନ କାଉନସିଲ୍‌ ଫର୍ ଚାଇଲ୍‌ଡ ୱେଲ୍‌ଫେୟାର ପକ୍ଷରୁ ବଛା ଯାଇଥିବା ୨୨ ଜଣ କିଶୋରକିଶୋରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୩ ଜଣ ଛାତ୍ରୀ। କେନ୍ଦ୍ରାପଡ଼ା ମହାକାଳପଡ଼ାର ଦୁଇ ଭଉଣୀ ଓ ଅନୁଗୋଳ ଘଣ୍ଟପଡ଼ାର ଜଣେ ଛାତ୍ରୀ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇନାହାନ୍ତି, ବରଂ ନିଜ ଜୀବନକୁ ବାଜି ଲଗାଇ ଏକାଧିକ ଜୀବନକୁ ରକ୍ଷା କରିପାରିଛନ୍ତି।

୨୦୧୯ ଜାନୁଆରୀ ୨ ତାରିଖ କେନ୍ଦ୍ରାପଡ଼ା ହୁକିଟୋଲା ଦୀପରୁ ପିକ୍‌ନିକ ସାରି ଡଙ୍ଗାରେ ଫେରିବା ବେଳେ ଘଟିବା ଅଘଟଣ। ମହାକାଳପଡ଼ା ନିପାଣିଆଠାରେ ସନ୍ଧ୍ୟା ବେଳେ ଡଙ୍ଗା ବୁଡ଼ି ଗଲା। ଡଙ୍ଗାରେ ଥିବା ୫୫ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଅକାଳରେ ପ୍ରାଣ ହରାଇଲେ। ତେବେ ସେହି ନିପାଣିଆ ଗାଁର ଦୁଇ ସାହସୀ ଭଉଣୀ ପୂର୍ଣ୍ଣିମା ଓ ସବିତା ଶୀତୁଆ ରାତିରେ ଜୁଆରିଆ ନଈ ଏବଂ କୁମ୍ଭୀରକୁ ଖାତିର ନକରି ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧୨ ଜଣ ବିପନ୍ନଙ୍କୁ।

ସାହସୀ ବାଳିକା ପୂର୍ଣ୍ଣିମା ଗିରି କହିଛନ୍ତି-“ଆମେ ଦୁଇ ଭଉଣୀ ସନ୍ଧ୍ୟା ବେଳେ ବସି ପାଠ ପଢୁଥିଲୁ। ହଠାତ୍‌ ବଞ୍ଚାଅ ବଞ୍ଚାଅ ଶବ୍ଦ ଶୁଣିବାକୁ ପାଇଲୁ। ପାଠ ପଢ଼ା ଛାଡ଼ି ସଙ୍ଗେ ସଙ୍ଗେ ନଦୀ ପଠାକୁ ଦୌଡ଼ିଲୁ। ପାଣିରେ ଡଙ୍ଗାଟି ବୁଡି ଯାଉଥିବା ଦେଖି ନଦୀକୁ ଡେଇଁଥିଲୁ।”

ଅନୁଗୋଳ ଘଣ୍ଟପଡ଼ାର ଶ୍ରୀମତୀ ବଦ୍ରାଙ୍କ ସାହସ ମଧ୍ୟ କିଛି କମ୍ ନୁହେଁ। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଶ୍ରୀମତି ୨୦୧୮ ନଭେମ୍ବର ୨୭ରେ ରେଳଧାରଣା ପାରି ହେବା ବେଳେ ଅନ୍ୟଜଣେ ଦୁର୍ଘଟଣାଗ୍ରସ୍ତ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ଟ୍ରେନ୍‌ ତଳୁ ଟାଣି ଆଣିଥିଲେ। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କାନ୍ଧରେ ଘଣ୍ଟପଡ଼ା ଗାଁକୁ ନେଇ ଯାଇଥିଲେ। ସେଦିନ ଦୁର୍ଘଟଣାରେ ପ୍ରମିଳା ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ଶ୍ରୀମତିଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଜୀବନ ଫେରିପାଇଥିଲେ।