ଏକଜିଟ୍ ପୋଲ୍ : ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଉଁ ଦଳକୁ ମିଳିବ କେତେ ଆସନ

ଦେଶ -ବିଦେଶ ବଡ ଖବର ରାଜନୀତି

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଥିବାବେଳେ ଆସିଛି ବୁଥ ବାହୁଡା ମତ | ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି |ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓ , ରିପବ୍ଲିକ୍‌ ଟିଭି, ନ୍ୟୁ-ଏକ୍ସ, ଇଣ୍ଡିଆ ଟିଭି, ଜନ୍‌ କି ବାତ୍‌, ଟିଭି ୯ ଭାରତବର୍ଷ ଓ ଇଣ୍ଡିଆନ୍‌ ନିଉଜ୍‌ ପକ୍ଷରୁ କରାଯାଇଥିବା ସର୍ଭେକୁ ନେଇ ବୁଥ୍‌ ବ‌ାହୁଡ଼ା ମତ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା କ’ଣ କହିଛି ଏକ୍‌ଜିଟ୍‌ ପୋଲ୍‌। ଦିଲ୍ଲୀରେ କେଉଁ ଦଳକୁ ମିଳିବ କେତେ ଆସନ?

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ରେ ଆମ୍‌ ଆଦାମୀ ପାର୍ଟି ବହୁମତ ହାସଲ କରିବ ବୋଲି ଆକଳନ କରାଯାଇଛି। ଏହି ବୁଥ ବାହୁଡା ମତ ଅନୁସାରେ ଆପ ୪୪ଟି ଆସନ ପାଇବାକୁ ଯାଉଥିବା ବେଳେ ବିଜେପି ୨୬ଟି ଆସନ ପାଇବ। କଂଗ୍ରେସ କୌଣସି ଆସନ ପାଇପାରିବ ନାହିଁ ବୋଲି କୁହାଯାଇଛି।

ରିପବ୍ଲିକ୍‌ ଟିଭି ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲରେ ଆପକୁ ୪୮-୬୧ ଆସନ ମିଳିବାକୁ ଯାଉଥିବା ବେଳେ ବିଜେପି ୯-୨୧ଟି ଆସନ ପାଇବ। ଏଥିରେ ମଧ୍ୟ କଂଗ୍ରେସ ମାତ୍ର ଗୋଟିଏ ଆସନ ପାଇପାରେ ବୋଲି ଆକଳନ କରାଯାଇଛି।

ସେହିପରି ନ୍ୟୁଜ-ଏକ୍ସ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରେ ମଧ୍ୟ ଆମ୍‌ ଆଦମୀ ପାର୍ଟି ବହୁମତ ହାସଲ କରିବ ବୋଲି ଆକଳନ କରାଯାଇଛି। ଆପ୍‌ ୫୩ରୁ ୫୭ ଆସନ ହାତେଇବ ବୋଲି ଆକଳନ କରାଯାଇଥିବା ବେଳେ ବିଜେପି ୧୧ରୁ ୧୭ ଓ କଂଗ୍ରେସ ୦୨ ଆସନ ଜିଣିପାରେ।

ଇଣ୍ଡିଆ ଟିଭିର ଆକଳନ ଅନୁସାରେ ଆପ୍‌ ୪୪ ଓ ବିଜେପି ୨୬ ଆସନ ହାତେଇପାରେ। ସେହିପରି ଜନ୍‌ କି ବାତ୍‌, ଟିଭି ୯ ଓ ଇଣ୍ଡିଆନ୍‌ ନିଉଜ୍‌ ମଧ୍ୟ ଆପ୍‌ ବହୁମତ ହାସଲ କରିବ ବୋଲି ଆକଳନ କରିଛନ୍ତି।