ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ୭ ଓ୍ଵିକେଟ୍ରେ ବିଜୟୀ ହେବା ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିିଛି।
ବିରାଟ ବାହିନୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଶ୍ରୀଲଙ୍କା ବ୍ୟାଟିଂ କରି ୯ଟି ଓ୍ଵିକେଟ୍ରେ ୧୪୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୪୩ ରନ୍ ଟାର୍ଗେଟ ମିଳିଥିଲା। ଭାରତ ପାଇଁ ଓପନର ଲୋକେଶ ରାହୁଲ ଦ୍ରୁତ ଗତିରେ ୪୫ ରନ୍ କରିଥିଲେ। ସେ ୩୨ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ଅନ୍ୟ ଓପନର ଶିଖର ଧାଓ୍ଵନଙ୍କ ବ୍ୟାଟ୍ରୁ ଦଳକୁ ୩୨ ରନ୍ ମିଳିଥିଲା। ଧାଓ୍ଵନ ୨୯ଟି ବଲ ଖେଳି ୨ଟି ଚୌକା ସହାୟତାରେ ଏହି ରନ୍ ଆଦାୟ କରିଥିଲେ।
ପ୍ରଥମ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ସର୍ବାଧିକ ୩୪ ରନ୍ କରିଥିଲେ। ସେ ୨୮ଟି ବଲ ଖେଳି ୩ଟି ଛକା ସହାୟତାରେ ଏହି ରନ୍ ହାସଲ କରିଥିଲେ। ସ୍ପିନର କୁଲଦୀପ ଯାଦବଙ୍କ ବଲରେ କୁଶାଲ ପେରେରା ଆଉଟ୍ ହୋଇ ପାଭଲିଅନ୍ ଫେରି ଯାଇଥିଲେ। ସେହିପରି ଦଳର ଓପନର ଅଭିସ୍କା ଫର୍ନାଣ୍ଡୋ ୨୨ ରନ କରିଥିବା ବେଳେ ଦନୁସ୍କା ଗୁଣତିଲକଙ୍କ ବ୍ୟାଟ୍ରୁ ଦଳକୁ ମାତ୍ର ୨୦ ରନ୍ ମିିଳଥିଲା। ଧନଞ୍ଜୟ ଡି’ ସିଲଭା ୧୭ ରନ୍ ଓ ୱାନିନ୍ଦୁ ହରରଙ୍ଗା ୧୬ ରନ୍ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ।
ଭାରତୀୟ ଦଳର ଯୁବ ବୋଲର ଶାର୍ଦ୍ଦୁଲ ଠାକୁର ୩ଟି ଓ୍ଵିକେଟ୍ଅକ୍ତିଆର କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ୍ର ନଭଦୀପ ସଇନି ଓ କୁଲ୍ଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ୍ମିଳିଥିବା ବେଳେ ୱାସିଂଟନ୍ ସୁନ୍ଦରଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗୁଆହାଟୀ ଠାରେ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବା ବେଳେ ଶୃଙ୍ଖଳାର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ୧୦ ତାରିଖରେ ପୁନେରେ ଖେଳାଯିବ।