ଭାରତ ଆସୁଛନ୍ତି ଟ୍ରମ୍ପ

ଭାରତ ଆସୁଛନ୍ତି ଟ୍ରମ୍ପ

ଦେଶ -ବିଦେଶ ବଡ ଖବର

#ଭାରତ_ଆସୁଛନ୍ତି_ଟ୍ରମ୍ପ  ନୂଆଦିଲ୍ଲୀ: ସୋମବାର ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ସେ ଭାରତର ଶୀର୍ଷ ସ୍ତରୀୟ ନେତୃବୃନ୍ଦଙ୍କ ସହ ଅନେକ ଆଲୋଚନାରେ ଭାଗ ନେବାର ଅଛି। ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଏହା ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଅନନ୍ୟ ସୁଯୋଗ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ, ଝିଅ ଇଭାଙ୍କା, ଜ୍ୱାଇଁ ଜାରେଡ୍‌ କୁଶ୍‌ନେର ଏବଂ ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆସିବେ।

ଭାରତ ପାଇଁ ଉଡ଼ାଣ ଭରିବା ପୂର୍ବରୁ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ବନ୍ଧୁ’ ସମ୍ବୋଧନ କରିବା ସହ ଭାରତ ଗସ୍ତ ବାବଦରେ ସୂଚନା ଦେଇଥିଲେ। ଟ୍ରମ୍ପ କହିଛନ୍ତି, ସେ ବହୁତ ଦିନ ତଳେ ଭାରତ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଚନା ଅନୁଯାୟୀ, ସେ ସୋମବାର ୧୧.୪୦ରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ୧୨.୧୫ରେ ସାବରମତୀ ଆଶ୍ରମ ଯିବେ। ୧.୦୫ ବେଳକୁ ମୋଟେରା ଷ୍ଟାଡିଅମ୍‌ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ରହିଥିବାବେଳେ ୩.୩୦ ବେଳକୁ ଆଗ୍ରା ପାଇଁ ଉଡ଼ାଣ ଭରିବେ। ଏହାପରେ ସେଠାରେ ୫.୧୫ ବେଳକୁ ତାଜ ମହଲ ଭ୍ରମଣ କରି ୬.୪୫ରେ ଦିଲ୍ଲୀ ଯିବେ ଏବଂ ୭.୩୦ରେ ଦିଲ୍ଲୀ ପହଞ୍ଚିବେ।

ମଙ୍ଗଳବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ରହିଛି। ୧୦.୩୦ରେ ଟ୍ରମ୍ପ ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ୧୧.୦୦ରେ ହାଇଦ୍ରାବାଦ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ରହିଛି। ହାଇଦ୍ରାବାଦ୍‌ଠାରେ ହିଁ ଚୁକ୍ତି ସ୍ୱାକ୍ଷର ଏବଂ ଗଣମାଧ୍ୟମକୁ ବିବୃତ୍ତି ଆଦି କାର୍ଯ୍ୟକ୍ରମ ରହିଛି। ଏହାପରେ ଟ୍ରମ୍ପ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରି ରାତି ୧୦ଟାରେ ଆମେରିକା ଫେରିଯିବେ।