#ଆର୍ଥିକ_ପ୍ୟକେଜର_ଦ୍ବିତୀୟ_ପର୍ଯ୍ୟାୟ  

ଆର୍ଥିକ ପ୍ୟକେଜର ଦ୍ବିତୀୟ ପର୍ଯ୍ୟାୟରେ ଗରିବ, ଚାଷୀ, ଛୋଟ ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକଙ୍କୁ ସହାୟତା

ଦେଶ -ବିଦେଶ ବଡ ଖବର

#ଆର୍ଥିକ_ପ୍ୟକେଜର_ଦ୍ବିତୀୟ_ପର୍ଯ୍ୟାୟ       ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନାର ଘୋଷଣା କରିଛନ୍ତି ।ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା  ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ଯୋଜନା ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ପଡ଼ିବ । ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ । ଏହି ଯୋଜନା ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ ।

ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ କଳ କାରଖାନା ବନ୍ଦ ହୋଇଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ । ସେଥିପାଇଁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ତେଣୁ ଦେଶର ଅର୍ଥନୀତିକୁ ପୁଣି ଥରେ ସଜାଡ଼ିବା ଓ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥନୀତିକ ପ୍ୟାକେଜ୍ ଆଧାରରେ ପ୍ରବାସୀଙ୍କୁ ସେମାନଙ୍କ ନିଜ ବାସଭୂଇଁରେ ଯୋଗାଇ ଦିଆଯିବ କାମ । ଫଳରେ ଲୋକଙ୍କ ହାତକୁ ନଗଦ ଅର୍ଥ ଆସିବ ଓ ଗ୍ରାମ୍ୟ ଅର୍ଥନୀତି ସମୃଦ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି ।

କୌଣସି ପ୍ରବାସୀ ଯେପରି ଭୋକିଲା ରହିବେ ନାହିଁ ସେଥିପ୍ରତି ନିର୍ମଳା ଗୁରୁତ୍ବାରୋପ କରିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନଙ୍କୁ ସହାୟତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନ ଥିଲେ ମଧ୍ୟ ସେମାନେ ଏହି ସହାୟତା ପାଇବାକୁ ହକଦାର ହେବ । ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିସହ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରା ଦେଶରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଲାଗୁ ହେବ । ଫଳରେ ଯେ କେହି ବି ଦେଶର କୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ରାସନ ନେଇପାରିବ ।ଆଗାମୀ ଦୁଇ  ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨ ମାସରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ ।

ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷ  ତୁଳନାରେ ଚଳିତଥର ୪୦ରୁ ୫୦ ପ୍ରତିଶତ ଅଧିକ ଲୋକ ମନରେଗାରେ କାମ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ମନେରଗାର ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ବୃଦ୍ଧି କରି ୨୦୨ ଟଙ୍କା କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୌସୁମୀ ଆସୁଥିବାରୁ ବୃକ୍ଷରୋପଣ ଓ ଉଦ୍ୟାନ କାର୍ଯ୍ୟ ସହ ଅନ୍ୟ କ୍ଷେତ୍ରରେ କାମ ଦିଆଯାଇ ପାରିବ ।ଏଥିପାଇଁ ପଞ୍ଜିକରଣକୁ ୫୦ ପ୍ରତିଶତ ଯାଏଁ ବଢ଼ାଯାଇଛି । ମେ ୧୩ ସୁଦ୍ଧା ୧୪.୬୨ କୋଟି ଲୋକଙ୍କୁ କାମ ମିଳିଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ  କହିଛନ୍ତି ।

ସମସ୍ତ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସ୍ଥିର କରିବାକୁ ସରକାର ଚେଷ୍ଟା କରୁଛନ୍ତି। ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ସର୍ବନିମ୍ନ ମଜୁରୀର ଲାଭ ପାଇବାକୁ ସକ୍ଷମ ହେଉଛନ୍ତି। ଏହା ଦ୍ୱାରା ରାଜ୍ୟ ମଧ୍ୟରେ ସର୍ବନିମ୍ନ ମଜୁରୀର ପାର୍ଥକ୍ୟକୁ ଦୂର କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହା ଆଇନଗତ ହେବ। ସମସ୍ତ ଶ୍ରମିକ ନିଯୁକ୍ତି ପତ୍ର ପାଇବେ ଏବଂ ବର୍ଷକୁ ଥରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ଅସଂଗଠିତ କ୍ଷେତ୍ରre କାର୍ଯ୍ୟ କରୁଥିବା ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାର ଲାଭ ମିଳିବ ବୋଲି ସେ କହିଛନ୍ତି। ଶ୍ରମିକମାନଙ୍କ ପାଇଁ ESIC ସୁବିଧା କାର୍ଯ୍ୟକାରୀ ହେବ। ଯଦି ମହିଳାମାନଙ୍କୁ ରାତିରେ କାମ କରିବାକୁ ପଡିବ, ସେମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଅଣାଯିବ ବୋଲି ସେ କହିଛନ୍ତି।

ଅର୍ଥମନ୍ତ୍ରୀ  କହିଛନ୍ତିଯେ, ଲକଡାଉନ ଯୋଗୁଁ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ  ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ  କହିଛନ୍ତି କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ପିଏମ-କିଷାନ ହିତାଧିକାରୀଙ୍କୁ ୨ ଲକ୍ଷ କୋଟିର ସୁଲଭ ଋଣ ସହାୟତା ପ୍ରଦାନ କରାଯିବ । ମତ୍ସ୍ୟଚାଷୀ ଓ ପଶୁପାଳକମାନେ ମଧ୍ୟ ଏହି ଯୋଜନାରୁ ଲାଭ ଉଠାଇପାରିବେ । ଏହି ଯୋଜନା ଦ୍ୱାରା ଚାଷୀମାନେ କମ ସୁଧରେ ବ୍ୟାଙ୍କ ଋଣ ପାଇପାରିବେ । ଏହି ଯୋଜନା ଦ୍ୱାରା ପ୍ରାୟ ୨.୫ କୋଟି କୃଷକ ଉପକୃତ ହେବେ ।

ଏହାଛଡ଼ା ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହାୟତା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ହଜାର କୋଟିର ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନାବାର୍ଡ ମାଧ୍ୟମରେ ଅତିରିକ୍ତ ଜରୁରୀକାଳୀନ ଚଳନ୍ତି ପୁଞ୍ଜି ଉପଲବ୍ଧ କରାଯିବ । ନାବାର୍ଡ ଦ୍ୱାରା ଗ୍ରାମୀଣ ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମାନଙ୍କୁ ଏହି ପାଣ୍ଠି ଯୋଗାଇଦିଆଯିବ ଯଦ୍ୱାରା ସେମାନେ ଫସଲ ଋଣ ପ୍ରଦାନ କରିପାରିବେ । ଚଳିତ ବର୍ଷ ସ୍ୱାଭାବିକ ଭାବେ ନାବାର୍ଡ ଦ୍ୱାରା ଦିଆଯାଉଥିବା ୯୦ ହଜାର କୋଟିର ରିଫାଇନାନ୍ସ ସହ ଅତିରିକ୍ତ ଭାବେ ଏହା ଦିଆଯିବ । ଏହା ଦ୍ୱାରା ଦେଶର ୩ କୋଟି ଚାଷୀ ଉପକୃତ ହେବେ ।ଅନ୍ୟପକ୍ଷରେ ଆଦିବାସୀଙ୍କ ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର କାମ୍ପା ପାଣ୍ଠି ଅଧିନରେ ୬ ହଜାର କୋଟିର ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଅର୍ଥକୁ ରାଜ୍ୟ ସରକାରମାନେ ବନୀକରଣ, ଜଙ୍ଗଲ ସୁରକ୍ଷା, ମୃର୍ତ୍ତିକା ସଂରକ୍ଷଣ, ଜଳସଂରକ୍ଷଣ ଆଦି କାମ ମାଧ୍ୟମରେ ଲୋକମାନଙ୍କୁ ନିଯୁକ୍ତି ଯୋଗାଇଦେବେ ।

ଲକଡାଉନ ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ରାସ୍ତାକଡ଼ ଦୋକାନୀ ଓ ଫେରିବାଲା ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଋଣ ସ୍କିମ ଘୋଷଣା କରିଛନ୍ତି ।ଏହି ଯୋଜନା ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ରାସ୍ତାକଡ଼ ଦୋକାନୀମାନେ ଲକଡାଉନ ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ସରକାର ଅବଗତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ଏକ ମାସ ମଧ୍ୟରେ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ଯୋଜନା ମାଧ୍ୟମରେ ରାସ୍ତାକଡ଼ ଦୋକାନୀମାନଙ୍କୁ ୧୦ ହଜାର ଟଙ୍କାର ଚଳନ୍ତି ପୁଞ୍ଜି ପ୍ରଦାନ କରାଯିବ । ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଥିବା ଓ ଉଚିତ ସମୟରେ ଋଣ ପରିଶୋଧ କରୁଥିବା ଦୋକାନୀମାନଙ୍କୁ ସ୍ୱତନ୍ତ୍ର ପ୍ରେତ୍ସାହନ ପ୍ରଦାନ କରାଯିବ । ଏହି ସ୍କିମ ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ ରାସ୍ତାକଡ଼ ଦୋକାନୀ ଉପକୃତ ହେବେ । ଏହି ଯୋଜନା ମାଧ୍ୟମରେ ୫ ହଜାର କୋଟି ଟଙ୍କାର ନଗଦ ଅର୍ଥ ବଜାରକୁ ଆସିବ ।