କାବୁଲ : ସୋମବାର ଆଫଗାନିସ୍ତାନର ଗଜନିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ବିମାନଟି ଆମେରିକାର ସେନାବାହିନୀର ଏକ ବିମାନ ବୋଲି ତାଲିବାନ ସ୍ପଷ୍ଟ କରିଛି । ଗଜନି ଅଞ୍ଚଳର ଜଣେ ସାମ୍ବାଦିକ ତାରିକ ଗଜନିଓ୍ଵାଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବିମାନଟି ଜଳିଯାଉଥିବା ଅବସ୍ଥାରେ ଖସିପଡ଼ିଥିଲା । ଏଥିରେ ବସିଥିବା କେତେକ ଲୋକଙ୍କ ଶରୀର ଜଳୁଥିବା ସେ ଦେଖିଛନ୍ତି ।
ତାଲିବାନର ମୁଖପାତ୍ର ଜବିନୁଲ୍ଲା ମୁହାହିଦ କହିଛନ୍ତି ଯେ ଏହି ବିମାନଟି ଆମେରିକୀୟ ଏୟାରଫୋର୍ସର ଥିଲା । ଏହି ବିମାନରେ ଆମେରିକାର ଅନେକ ସୈନ୍ୟ ଥିଲେ । ସମସ୍ତେ ମୃତ୍ୟୁବରଣ କରିଥିବା ସେ ଦାବି କରିଛନ୍ତି । ତେବେ ଏହା ଏକ ଦୁର୍ଘଟଣା ଥିଲା ନା ତାହାକୁ ଆକ୍ରମଣ କରାଯାଇଥିଲା ସେ ସଂପର୍କରେ କିଛି ଜଣାପଡ଼ିନାହିଁ ।