ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିବା ୧୪୦୦ ଆଇଏସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଭାରତୀୟ ମଧ୍ୟ ଥିଲେ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଗତ ବର୍ଷ ଆତଙ୍କବାଦୀ ସଂଗଠନ ଆଇଏସର ସଦସ୍ୟ ଥିବା ପ୍ରାୟ ୧୪୦୦ ଜଣ ଆତଙ୍କବାଦୀ ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଫଗାନ ଥିବାବେଳେ ଆଉ କିଛି ଭାରତ, ପାକିସ୍ତାନ, ଅଜରବୈଜାନ, କାନାଡ଼ା, ଫ୍ରାନ୍ସ, ମାଳଦ୍ୱୀପ, ତୁର୍କୀ ଓ ଉଜବେକିସ୍ତାନର ଲୋକ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଆଇଏସ ଓ ଅଲକାଇଦା ଆଦି ଆତଙ୍କବାଦୀ ସଂଗଠନ ଉପରେ ଜାତିସଂଘ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଆଇଏସକୁ କଳାତାଲିକାଭୁକ୍ତ କରାଯାଇଥିଲେ ମଧ୍ୟ ଏହା ଆଫଗାନିସ୍ତାନରେ ସକ୍ରିୟ ଅଛି ଓ ସୋସିଆଲ ମିଡିଆମାଧ୍ୟମରେ ନୂଆ ଆତଙ୍କବାଦୀଙ୍କ ନିଯୁକ୍ତି ଦେଉଛି । ଏହା ମଧ୍ୟ ବିଭିନ୍ନ ମସଜିଦ ଓ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଯୁବକମାନଙ୍କୁ ମୌଳବାଦୀ ଓ କଠୋରପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ କରୁଛି ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଇଏସ ଗତ କିଛି ବର୍ଷ ମଧ୍ୟରେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇ ଲୋପ ପାଇବାକୁ ବସିଛି । କିନ୍ତୁ ଅତୀତରେ ଏହା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିଥିବାରୁ ଏଥର ବି ତିଷ୍ଠି ରହିବା ଅସମ୍ଭବ ନୁହେଁ । ଅଲକାଇଦା ସମ୍ପର୍କରେ ଏହି ରିପୋର୍ଟ କହିଛି ଯେ ଗତବର୍ଷ ଏହି ସଂଗଠନର ମୁଖ୍ୟ ହାମଜା ବିନ ଲାଡେନ ନିହତ ହେବା ସତ୍ତ୍ୱେ ଏହା ତିଷ୍ଠି ରହିଛି ।