ଆତଙ୍କବାଦୀ କାର୍ଯ୍ୟକଳାପର ମୂଳୋତ୍ପାଟନ କରୁ ପାକିସ୍ତାନ 

ଆତଙ୍କବାଦୀ କାର୍ଯ୍ୟକଳାପର ମୂଳୋତ୍ପାଟନ କରୁ ପାକିସ୍ତାନ : ଟ୍ରମ୍ପ

ଦେଶ -ବିଦେଶ ବଡ ଖବର

#ଆତଙ୍କବାଦୀ_କାର୍ଯ୍ୟକଳାପର_ମୂଳୋତ୍ପାଟନ_କରୁ_ପାକିସ୍ତାନ  ଅହମଦାବାଦ:  ଦୁଇ ଦିନିଆ ଭାରତ ଗସ୍ତରେ ଆସି  ସପରିବାର ଗୁରୁରାଟରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଆୟ‌ୋଜିତ ଏହି ସମାରୋହରେ ନିଜ ଅଭିଭାଷଣ ରଖି ରାଷ୍ଟ୍ରପତି ଟ୍ରମ୍ଫ ଆତଙ୍କବାଦ ପ୍ରସଙ୍ଗ ବି ଉଠାଇଛନ୍ତି। ସେ କହିଛନ୍ତି,  ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଅ‌ାତଙ୍କବାଦକୁ ସହ୍ୟ କରାଯିବ ନାହିଁ। କଠୋର ହସ୍ତରେ ଏହାକୁ ଦମନ କରାଯିବ।  ଆମେ ଆଇଏସଆଇଏସର ପ୍ରତିଷ୍ଠାତା ତଥା କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ମାରିଛୁ। କଠୋର ଇସ୍ଲାମିକ  ଆତଙ୍କବାଦର ବିପଦରୁ  ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଭାରତ ଓ ଆମେରିକା ଏକାଠି  ମିଶି କାମ କରିବେ।’ ନିଜ ଭ‌ାଷଣରେ ରାଷ୍ଟ୍ରପତି ଟ୍ରମ୍ଫ ପାକିସ୍ତାନ ମାଟିରେ ଚାଲି ଥିବା ଆତଙ୍କବ‌ାଦୀ କାର୍ଯ୍ୟକଳାପ ନେଇ ଚିନ୍ତା ପ୍ରକଟ କରିବା ସହ ପାକିସ୍ତାନ ଏହାକୁ ବନ୍ଦ କରୁ ବୋଲି ପରାମର୍ଶ ଦେଇଥିଳେ।

ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ପାକିସ୍ତାନକୁ କ୍ଷୁବ୍ଧ କରି ନାହାନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ବି ତାଙ୍କର ବନ୍ଧୁ ରାଷ୍ଟ୍ର । କିନ୍ତୁ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ କରିବା ଉଚିତ । ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେଉ ପାକିସ୍ତାନ । ପାକିସ୍ତାନକୁ ଆତଙ୍କବାଦ ଉପରେ ଲଗାମ ଲଗାଇବାକୁ ପଡ଼ିବ ବୋଲି ଡୋନାଲ୍ଡ ଟ୍ରମ୍ପ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ, ସାବରମତୀ ଆଶ୍ରମ ପରିଦର୍ଶନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ।  ଷ୍ଟାଡିୟମ୍‌ରେ ଅୟୋଜିତ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବା କ୍ଷଣି ସମବେତ ଜନତା ଟ୍ରମ୍ପ୍‌ ଓ ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହ ପ୍ରଥମ ମହିଳା  ମେଲାନିଆ ଟ୍ରମ୍ଫ  ମଧ୍ୟ ମଞ୍ଚ ଉପରକୁ ଯାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଆରମ୍ଭ କରି ଟ୍ରମ୍ପ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ସେ କହିଲେ ଯେ ଭାରତରେ ପହଞ୍ଚୁ ପହଞ୍ଚୁ ରାଷ୍ଟ୍ରପତି ଟ୍ରମ୍ପ୍‌ ସାବରମତୀ ଆଶ୍ରମକୁ ଯାଇଥିବାରୁ ସେ ଆନନ୍ଦିତ। ସମଗ୍ର ଭାରତ ଟ୍ରମ୍ପ୍‌ଙ୍କ ପରିବାକୁ ସ୍ୱାଗତ କରୁଛି।

ସେ ପୁଣି କହିଲେ ଯେ ଆମ୍ଭମାନଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ୍‌’ର ଗୂଢ଼ ଅର୍ଥ ରହିଛି। ଏହି ଗସ୍ତ ଆମର ବନ୍ଧୁତାକୁ  ଆହୁରି ଦୃଢ଼ କରିବ। ଇତିହାସ ପୁନଃରାବୃତ୍ତି ହେଉଥିବା ପରି ଆଜି ମୋର ମନେହେଉଛି। ୫ ମାସ ତଳେ ମୁଁ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ଯାଇଥିଲି। ଆଜି ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦ ଆସିଛନ୍ତି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ।