୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ ଜଳାନ୍ତୁ

ରାତି ୧୨ଟାଠାରୁ ୨୧ ଦିନ ଲାଗି ସାରା ଦେଶ ହେବ ‘ଲକ୍ ଡାଉନ୍’

ଦେଶ -ବିଦେଶ ବଡ ଖବର

#ରାତି_୧୨ଟାଠାରୁ_୨୧_ଦିନ_ଲାଗି_ସାରା_ଦେଶ_ହେବ_‘ଲକ୍ ଡାଉନ୍’      ନୂଆଦିଲ୍ଲୀ: ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଆଜି ମଧ୍ୟରାତ୍ର ଠାରୁ ସମଗ୍ର ଦେଶରେ ଆଗାମୀ ୩ ସପ୍ତାହ ଅର୍ଥାତ ୨୧ ଦିନ ପାଇଁ ସଂପୂର୍ଣ୍ଣ ‘ଲକ୍‌ଡାଉନ୍‌’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ବ୍ୟାପି ମହାମାରୀର ରୂପ ଧାରଣ କରି ସମଗ୍ର ଦେଶ ପାଇଁ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ କେବଳ ମାତ୍ର ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେଥିପାଇଁ ସରକାରଙ୍କୁ ଏ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେବାକୁ ପଡ଼ିଲା।

ପରିସ୍ଥିତିର ଗୁରୁତ୍ୱ ଓ ସମୟର ଆବଶ୍ୟକତାକୁ ହୃଦୟଙ୍ଗମ କରି ଦେଶବାସୀ ସରକାରଙ୍କ ‘ଲକ୍‌ଡାଉନ୍‌’କୁ ପାଳନ କରିବା ସହ ନିଜ ଘର ଭିତରେ ରହିବେ ଓ ସାମାଜିକ ଦୂରତା ବଜାୟ ରଖବେ। ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍‌ଡାଉନ୍‌’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ ଭିତରେ ହିଁ ରହିବା ପାଇଁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୨ ଦିନ ହେବ ଦେଶର ଅନେକ ଭାଗରେ ଲକ ଡାଉନ କରାଯାଇଛି। ରାଜ୍ୟ ସରକାର ଏହି ଲକ ଡାଉନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଯେପରି ପାଳନ ହୁଏ ସେ ନେଇ ପଦକ୍ଷେପ ନେବାକୁ ସେ କହିଛନ୍ତି। ମୋଦୀ ଆଜି ମଧ୍ୟରାତ୍ରୀରୁରୁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ହେବ ନେଇ ଘୋଷଣା କରିବା ସହ ଏକଥା ମଧ୍ୟ କହିଛନ୍ତି ଯେ ହିନ୍ଦୁସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଆଜି ରାତି ୧୨ରୁ ଘରୁ ବାହାରକୁ ବାହାରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଗଲା।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ, ସବୁ ଗାଁ ଓ ସହରକୁ ଲକ ଡାଉନ କରାଗଲା। ସେ କହିଛନ୍ତି ଯେ ଏହି ଲକ ଡାଉନ ଫଳରେ ଦେଶ ପାଇଁ ନିଶ୍ଚିତ ଆର୍ଥିକ ସମସ୍ୟା ସୃଷ୍ଟି ହେବ କିନ୍ତୁ ସେ ତୁଳନାରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ସୁରକ୍ଷିତ ରଖିବା ଜରୁରୀ ଅଟେ।

ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ରାଜ୍ୟରେ ୨୯ ତାରିଖ ଓ ଆଉ କିଛି ରାଜ୍ୟରେ ୩୧ ଯାଏ ଲକ ଡାଉନ ଘୋଷଣା କରାଯାଇଥିଲା। ହେଲେ  ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ତାଲା ବନ୍ଦ ବା ଲକ ଡାଉନ କାର୍ଯ୍ୟକାରୀ ହେବ ବୋଲି ମୋଦି ଘୋଷଣା କରିଥିଲେ। ସେ କହିଥିଲେ, ଆସନ୍ତା ୨୧ ଦିନ ଯାଏ ଏହାକୁ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ପାଳନ କରାଯିବ। ମୋଦ ଆହୁରି କହିଛନ୍ତି, ବିଶ୍ୱର ଅନ୍ୟ ଦେଶକୁ ଅଧ୍ୟୟନ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମହାମାରୀ କରୋନା ଠାରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। କରୋନା ପ୍ରଥମ ୬୭ ଦିନରେ ୧ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। ଏହାପରେ ମାତ୍ର ୧୧ ଦିନରେ ୧ ଲକ୍ଷ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ କରୋନା କେତେ କ୍ଷୀପ୍ର ବେଗରେ ଗତିରେ ସମସ୍ତେ ଜାଣି ପାରୁଥିବେ। ଇଟାଲୀ ଓ ଆମେରିକାରେ ଉତ୍ତର ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଛି। ତଥାପି ସେମାନେ ଏହାକୁ ମୁକାବିଲା କରିବାକୁ ଅକ୍ଷମ ହୋଇଛନ୍ତି। ତେଣୁ ଆମକୁ ଏଥିରୁ ଶିଖିବାକୁ ପଡ଼ିବ।

ସାମାଜିକ ଦୂରତ୍ୱ ବ୍ୟତୀତ କରୋନାକୁ ମାତ୍ ଦେବାର କିଛି ବିକଳ୍ପ ହିଁ ନାହିଁ। ସବୁ ପରିବାର ଓ ନାଗରିକଙ୍କ ପାଇଁ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ସାମାଜିକ ଦୂରତ୍ୱ ଏକମାତ୍ର ଉପାୟ। ସାମାଜିକ ଦୂରତ୍ୱ ନରଖିଲେ ଆପଣଙ୍କ ସହ ଦେଶକୁ ବଡ଼ ବିପଦ ଆସିବ। ସାମାଜିକ ଦୂରତ୍ୱ ପାଳନ ନ କଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ। କେତେ ମୂଲ୍ୟ ଦେବାକୁ ପଡ଼ିବ ଆପଣମାନେ ଆକଳନ କରିପାରିବେ ନାହିଁ। ଲକ୍ ଡାଉନକୁ ରାଜ୍ୟ ସରକାରମାନେ ଗମ୍ଭୀର ଭାବେ ନିଅନ୍ତୁ। ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ। ଭାରତକୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଲକ ଡାଉନକୁ କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହା ଜରୁରୀ ଥିଲା। ପ୍ରତି ଭାରତୀୟଙ୍କ ଜୀବନ ବଞ୍ଚାଇବା ପାଇଁ ଲକ୍ ଡାଉନ୍ ଜରୁରୀ। ଆପଣମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏହା ମୋର ପ୍ରଥମ କର୍ତ୍ତବ୍ୟ। ଆପଣମାନେ ଦେଶରେ ଯିଏ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ। ଏ ଲକ୍ ଡାଉନ୍ ୩ ସପ୍ତାହ ବା ୨୧ ଦିନ ପାଇଁ ହେବ। ମୁଁ ଆପଣଙ୍କୁ କିଛି ସପ୍ତାହ ମାଗିଥିଲି, ଏବେ ଏ ୩ ସପ୍ତାହ ଲକ୍ ଡାଉନ୍ ହେବ। ୨୧ ଦିନ ଲକ୍ ଡାଉନ୍ ନକଲେ ଆମେ ୨୧ ବର୍ଷ ପଛକୁ ପଳାଇବା। ଲକ୍ ଡାଉନ୍ ନକଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବେ।

ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବେ ମୁଁ ଏପରି କରୁଛି। ଆପଣ ଘରେ ରହନ୍ତୁ, କେବଳ ଘରେ ହିଁ ରହନ୍ତୁ। ଆଜିର ଲକ୍ ଡାଉନ୍ ଆପଣଙ୍କ ଘର ଆଗରେ ଲକ୍ଷ୍ମଣ ରେଖା ଟାଣିଛି। ଆପଣଙ୍କ ଟିକେ ଭୁଲ୍ କରୋନାକୁ ଆପଣଙ୍କ ଘରକୁ ନେଇ ଆସିବ। କରୋନା ସଂକ୍ରମିତ ମୂଳରୁ ପୂରା ସୁସ୍ଥ ଲାଗନ୍ତି, ଜଣାପଡ଼ନ୍ତିନି। ହେଲେ ଏହା ପରେ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ତଥା ଦେଶର ରାଜ୍ୟ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଦୈନନ୍ଦିନ ଜୀବନରେ ଲୋକଙ୍କ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନିରନ୍ତର ଚେଷ୍ଟା ଚାଲିଥିବା ସେ କହିଛନ୍ତି। ବର୍ତ୍ତମାନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମୋଦୀ କହିଛନ୍ତି। ଏହା କରୋନା ସମ୍ବନ୍ଧୀୟ ପରୀକ୍ଷଣ ସୁବିଧା, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ଅଲଗା ଶଯ୍ୟା, ଆଇସିୟୁ ବେଡ୍, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣଗୁଡ଼ିକର ସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବାରେ ସହାୟକ ହେବ। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି, ଯେ ବର୍ତ୍ତମାନ ସମୟରେ ପ୍ରଥମ ପ୍ରାଥମିକତା କେବଳ ସ୍ୱାସ୍ଥ୍ୟ ସେବା ହେବା ଉଚିତ ଏବଂ ସ୍ୱାସ୍ଥ୍ୟସେବା ପ୍ରାଥମିକତା ହେବା ଉଚିତ୍।