ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ

ଖେଳ ଦେଶ -ବିଦେଶ ବଡ ଖବର

ରାଜକୋଟ୍‌: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ ଭାରତ ଶିଖର ଧୱନ୍‌, କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ୍ କରିଥିଲା। ଜବାବରେ ଷ୍ଟିଭ୍ ସ୍ମିଥଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରି ପରାସ୍ତ ହୋଇଛି।

୩୪୧ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଇନଫର୍ମ ଡେଭିଡ୍ ୱାର୍ଣ୍ଣର (୧୫)ଙ୍କୁ ହରାଇଥିଲା। ମହମ୍ମଦ ଶାମିଙ୍କ ବଲରେ ୱାର୍ଣ୍ଣର କଭରକୁ ଶଟ୍ ମାରିଥିଲେ, ଯାହାକୁ ମନିଷ ପାଣ୍ଡେ ଡାଇଭ୍ ମାରି କ୍ୟାଚ୍ ଧରିଥିଲେ। ଏହା ପରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ (୩୩) ଓ ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚିଥିଲେ। ପ୍ରଥମ ମ୍ୟାଚର ଶତକଧାରୀ ଫିଞ୍ଚଙ୍କୁ ଆଉଟ୍ କରି ଜାଡେଜା ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ସ୍ମିଥଙ୍କ ସହ ନିଜର ଡେବ୍ୟୁ ସିରିଜ୍ ଖେଳୁଥିବା ମାର୍ନସ୍ ଲାବୁଶେନ୍ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହିଁଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଯେ ଅଷ୍ଟ୍ରେଲିଆ ମୁକାବିଲାକୁ ଜିତିନେବ। କିନ୍ତୁ ଲାବୁଶେନ (୪୬)ଙ୍କ ଇନିଂସରେ ବ୍ରେକ୍ ଲଗାଇ ଜାଡେଜା ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ଏହା ପରେ ସ୍ମିଥ୍ ଓ ଆଲେକ୍ସ କ୍ୟାରୀ (୧୮) ଭ୍ରମଣକାରୀ ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ଟିମର ସ୍କୋର ୨୨୦ ଥିବା ବେଳେ କୁଲଦୀପ ଯାଦବ କ୍ୟାରୀଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। କ୍ୟାରୀଙ୍କ ଆଉଟ୍ ହେବାର ଦୁଇଟି ବଲରେ କୁଲଦୀପ ସ୍ମିଥଙ୍କ ନିର୍ଣ୍ଣାୟକ ୱିକେଟ୍ ନେଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ସ୍ମିଥ୍ ୧୦୨ ବଲରେ ୯ ଚୌକା ଓ ୧ ଛକା ସହ ୯୮ ରନ୍ କରିଥିଲେ। ଅଷ୍ଟ୍ରେଲିଆର ଶେଷ ଆଶା ଭାବେ ଅଷ୍ଟନ୍ ଟର୍ଣ୍ଣର୍ (୧୩) କିଛି ସମୟ କ୍ରିଜରେ ରହିଥିଲେ କିନ୍ତୁ ଶାମି ନିଜର ଚମତ୍କାର ୟର୍କର ବଳରେ ଟର୍ଣ୍ଣରଙ୍କୁ କ୍ଲିନ୍ ବୋଲ୍ଡ କରି ଅଷ୍ଟ୍ରେଲିଆର ଆଶା ଧୂଳିସାତ୍ କରିଥିଲେ। ପରବର୍ତ୍ତୀ ବଲରେ ଶାମି ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ସମାନ ୟର୍କରରେ ବୋଲ୍ଡ କରିଥିଲେ। ଏହା ପରେ ନଭଦୀପ ସାଇନି ଆଷ୍ଟନ୍ ଆଗର (୨୫)ଙ୍କୁ ଏଲବିଡବବ୍ଲ୍ୟୁ କରିଥିବା ବେଳେ ମିଚେଲ୍ ଷ୍ଟାର୍କ (୬)ଙ୍କୁ ରାହୁଲଙ୍କ ଦ୍ୱାରା କରାଇଥିଲେ। ଅନ୍ତିମ ୱିକେଟ୍ ଭାବେ ଆଡାମ ଜାମ୍ପା (୬)ଙ୍କ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ଭାରତ ପକ୍ଷରୁ ଶାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ସାଇନି, ଜାଡେଜା ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ । ବୁମ୍ରା ଗୋଟିଏ ୱିକେଟ୍ ପାଇଥିଲେ।

ପୂର୍ବରୁ କଙ୍ଗାରୁ ଟିମ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଦୁଇ ଅଭିଜ୍ଞ ଓପ୍ନର ରୋହିତ୍ ଶର୍ମା ଓ ଶିଖର ଧୱନ୍ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ । ଦୁହେଁ ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣକୁ ସଠିକ୍ ଭାବେ ପରଖିଥିଲେ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ୍ କରିଥିବା ରୋହିତ୍ ଆଜି ଲୟ ହାସଲ କରିଥିଲେ ହେଁ, ଠିକଣା ସମୟରେ ନିଜ ୱିକେଟ୍ ହରାଇ ବସିଥିଲେ। ରୋହିତ୍ ବ୍ୟକ୍ତିଗତ ୪୨ (୪୪ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। କ୍ୟାପଟେନ୍ କୋହଲି ପୂର୍ବ ଭୁଲ୍ ନଦୋହରାଇ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଧୱନଙ୍କ ସହ ମିଶି ସ୍କୋରକୁ ଆଗକୁ ନେଇଥିଲେ। ଧୱନ୍ ନିଜର ଦମଦାର ଫର୍ମ ବଜାୟ ରଖି ୬୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ଏହା ପରେ ଧୱନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ଧୱନ୍ ଶତକରୁ ମାତ୍ର ୪ ରନ୍ ଦୂରରେ ଥିବା ବେଳେ କେନ୍ ରିଚାର୍ଡସନଙ୍କ ବାଉନ୍ସରକୁ ପୁଲ୍ କରିଥିଲେ ଏବଂ ଫାଇନ୍ ଲେଗରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ଧରାପଡ଼ିଥିଲେ। ଧୱନ୍ ୯୦ ବଲରେ ୧୩ ଚୌକା ଓ ୧ ଛକା ସହ ୯୬ ରନ୍ କରିଥିଲେ । ଆଉଟ୍ ହେବା ପୂର୍ବରୁ ସେ କୋହଲିଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୧୦୩ ରନ୍ ଯୋଡ଼ିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର୍ (୭) ପୁଣିଥରେ ନିରାଶ କରିଥିଲେ ଏବଂ ଜାମ୍ପାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରାହୁଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ ଏବଂ ଅଷ୍ଟ୍ରେଲୀୟ ବୋଲରଙ୍କୁ ନିର୍ଧୁମ ଛେଛିଥିଲେ।

କୋହଲି ଓ ରାହୁଲଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୭୮ ରନର ନିର୍ଣ୍ଣାୟକ ଭାଗୀଦାରୀ ହୋଇଥିଲେ ଏବଂ ଦୁହିଁଙ୍କ ବ୍ୟାଟିଂ ହେଖି ଭାରତର ସ୍କୋର ସହଜରେ ୩୭୦ ଛୁଇଁବ ବୋଲି ଲାଗୁଥିଲା। କିନ୍ତୁ କୋହଲିଙ୍କ ଆଉଟ୍ ପରେ ରନ୍ ଗତିରେ ସାମାନ୍ୟ ହ୍ରାସ ପାଇଥିଲେ। କୋହଲି ୭୮ (୭୬ ବଲ୍‌, ୬ ଚୌକା) ରନ୍ କରି ପୁଣିଥରେ ଜାମ୍ପାଙ୍କ ଶିକାର ହୋଇଥିଲେ। ମନିଷ ପାଣ୍ଡେ (୨) ସୁଯୋଗ ଫାଇଦା ଉଠାଇପାରିନଥିଲେ। ତେବେ ରାହୁଲ୍ ଓ ରବୀନ୍ଦ୍ର ଜାଡେଜା ବିଶି ସ୍କୋରକୁ ୩୪୦ ରନରେ ପହଞ୍ଚାଇଥିଲେ। ରାହୁଲ୍ ୫୨ ବଲରେ ୬ ଚୌକା ଓ ୩ ଛକା ସହ ୮୦ ରନ୍ କରି ରନଆଉଟ୍ ହୋଇଥିବା ବେଳେ ଜାଡେଜା ୨୦ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୩ଟି ଓ ରିଚାର୍ଡସନ୍ ୨ଟି ୱିକେଟ୍ ନେଇଥିଲେ।