ଅଯୋଧ୍ୟାରେ ମସଜିଦ ପାଇଁ ଜମି ଚିହ୍ନଟ

ଦେଶ -ବିଦେଶ ବଡ ଖବର

ଲକ୍ଷ୍ନୌ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି। ପଞ୍ଚକୋଶୀ ପରିକ୍ରମାର ଉପକଣ୍ଠରେ ଚିହ୍ନଟ ହୋଇଥିବା ୫ଟି ସ୍ଥାନ ମଧ୍ୟରୁ ଗୋଟିଏ ଜମିକୁ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ନିମନ୍ତେ ପ୍ରଦାନ କରାଯିବ। ଜମିଗୁଡିକ ଜାତୀୟ ରାଜପଥର ନିକଟବର୍ତ୍ତୀ ଅଞ୍ଚଳ। ଚିହ୍ନଟ ଜମିଗୁଡିକୁ ଅନୁମୋଦନ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଯିବ। ଚିହ୍ନଟ ଜମିଗୁଡିକ ଅଯୋଧ୍ୟା-ଫୈଜାବାଦ ରାସ୍ତା, ଅଯୋଧ୍ୟା-ବସ୍ତି ରାସ୍ତା, ଅଯୋଧ୍ୟା-ସୁଲତାନପୁର ରାସ୍ତା, ଅଯୋଧ୍ୟା-ଗୋରଖପୁର ରାସ୍ତା ଓ ଅନ୍ୟ ଏକ ସ୍ଥାନ।

ଏହିସବୁ ଜମି ୫ଏକର ବିଶିଷ୍ଟ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ୫ ଜମି ମଧ୍ୟରୁ ଗୋଟିକୁ ଚୂଡାନ୍ତ କରିବା ପରେ ଏଠାରେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡକୁ ପ୍ରଦାନ କରାଯିବ। ନଭେମ୍ବର ୯ରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ଅଯୋଧ୍ୟା ରାୟରେ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ନିର୍ଦେଶ ଦେଇଥିବାବେଳେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡକୁ ୫ଏକର ଜମି ଯୋଗାଇ ଦେବାକୁ କହିଥିଲେ।

ଅନ୍ୟପଟେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡ ସରକାରଙ୍କ ଠାରୁ ଜମି ଗ୍ରହଣ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ; କାରଣ ସରକାରୀ ଜମିରେ ମସଜିଦ ନିର୍ମାଣକୁ ନେଇ ବୋର୍ଡର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ରହିଛି। ସରକାର ଯୋଗାଇ ଦେବାକୁ ଥିବା ଜମିରେ ମସଜିଦ ପରିବର୍ତ୍ତେ ଅନ୍ୟ କୌଣସି ଅନୁଷ୍ଠାନ ତିଆରି ଲାଗି ବୋର୍ଡର କେତେକ ସଦସ୍ୟଙ୍କ ମତ ରହିଛି।