ଲୋକସଭାରେ ଶାସକ-ବିରୋଧୀ ସାଂସଦଙ୍କ ମଧ୍ୟରେ ପିଟାପିଟି ସ୍ଥିତି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦରେ ଆଜି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଲୋକସଭାରେ ଶାସକ ଓ ବିରୋଧୀ ସାଂସଦମାନେ ପରସ୍ପରକୁ ଆକ୍ରମଣ କରିବାକୁ ଆଗେଇ ଆସିବା ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏକ ଲିଖିତ ପ୍ରଶ୍ନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଚାରିଥିଲେ। ଏହାର ଉତ୍ତର ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ନିଜ ଆସରେ ଛିଡ଼ା ହୋଇଥିଲେ।

ହେଲେ ସେ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଦିଲ୍ଲୀ ନିର୍ବାଚନ ବେଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୁଗଗୋଷ୍ଠୀ ଲାଠିରେ ପିଟିବେ ବୋଲି ଦେଇଥିବା ବୟାନ ପ୍ରସଙ୍ଗ ଉଠାଇଥିଲେ। ଏଥିସହ ସେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। ଏହାକୁ କଂଗ୍ରେସର ସାଂସଦମାନେ ଜୋରଦାର ବିରୋଧ କରିଥିଲେ।

ବାଚସ୍ପତି ଓମ ବିର୍ଲା ମଧ୍ୟ ହର୍ଷବର୍ଦ୍ଧନଙ୍କୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି କହିଥିଲେ। ହେଲେ ହର୍ଷବର୍ଦ୍ଧନ ଓ ବିଜେପି ସାଂସଦମାନେ ରାହୁଲ ଗାନ୍ଧିଙ୍କ ବୟାନକୁ ନିନ୍ଦା କରିବା ଆରମ୍ଭ କରିଥିଲେ। ମନ୍ତ୍ରୀଙ୍କ ଏହି ବୟାନକୁ କଂଗ୍ରେସ ସାଂସଦମାନେ ଗୃହର ମଧ୍ୟ ଭାଗକୁ ଆସି ବିରୋଧ କରିଥିଲେ। ଏହି ସମୟରେ ତାମିଲନାଡୁର କଂଗ୍ରେସ ସାଂସଦ ମନିକମ ଟାଗୋର କ୍ଷୀପ୍ର ବେଗରେ ଦ୍ୱିତୀୟ ଧାଡ଼ିରେ ବୟାନ ଦେଉଥିବା ହର୍ଷବର୍ଦ୍ଧନଙ୍କ ଆଡ଼କୁ ବେଶ କ୍ରୋଧିତ ହୋଇ ମାଡ଼ି ଚାଲିଥିଲେ।

ତେବେ ତାଙ୍କୁ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଅଟକାଇଥିଲେ ଓ ମନିକମଙ୍କୁ ବାହୁକୁ ଧରି ପଛକୁ ଟାଣି ଦେଇଥିଲେ। କେରଳର କଂଗ୍ରେସ ସାଂସଦ ହିବି ଇଡେନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ଏହାକୁ ନେଇ ଦୁଇ ଦଳର ସାଂସଦମାନେ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ।

ସ୍ଥିତି ବିଗିଡ଼ିବାରୁ ଅନ୍ୟ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦୁଇ ଦଳର ସାଂସଦଙ୍କୁ ମାରପିଟ ହେବା ପୂର୍ବରୁ ଅଟକା ଦେଇଥିଲେ। କ’ଣ କରୁଛନ୍ତି ଆପଣମାନେ? ଏଠାରେ କ’ଣ ଚାଲିଛି? ବୋଲି ଇରାନୀ ପ୍ରଶ୍ନ କରୁଥିବା ଶୁଣିବାକୁ ମିଳିଛି। ଘଟଣାକୁ ଦେଖି ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧ଟା ଓ ପରେ ୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ।