ଆତ୍ମନିର୍ଭରଶୀଳ ଭାରତ ଅଭିଯାନ : କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ : କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#କୃଷି_କ୍ଷେତ୍ରକୁ_ମିଳିବ୧_ଲକ୍ଷ_କୋଟି         ନୂଆଦିଲ୍ଲୀ   :    ଆତ୍ମନିର୍ଭରଶୀଳ ଭାରତ ଅଭିଯାନର କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି । ଶୁକ୍ରବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ତୃତୀୟ ଦିନରେ କେନ୍ଦ୍ର  କୃଷି ଓ ସହଯୋଗୀ କ୍ଷେତ୍ର ପାଇଁ ପ୍ୟାକେଜରେ ଥିବା ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ  କହିଛନ୍ତି ଯେ ଗତ ୫ରୁ୬ ବର୍ଷ ମଧ୍ୟରେ ସରକାର କୃଷକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଛନ୍ତି ଏବଂ ସେଥିରେ କୋଟି କୋଟି କୃଷକ ଲାଭବାନ ହୋଇଛନ୍ତି।

ଗତ ୨ ମାସ ମଧ୍ୟରେ କୃଷକମାନଙ୍କ ପାଇଁ ଲକ ଡାଉନ ସମୟରେ କେତେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷକମାନଙ୍କୁ ସିଧାସଳଖ ଲାଭ ଦେବା ପାଇଁ ସର୍ବନିମ୍ନ ମୂଲ୍ୟରେ ବୃଦ୍ଧି କରାଯାଇ ପ୍ରାୟ ୭୪, ୩୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଦୁଇ ମାସରେ ୧୮ ହଜାର ୭୦୦ କୋଟି ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇ ଥିବା ସେ କହିଛନ୍ତି। ସେହିପରି ଫସଲ ବୀମା ଯୋଜନାରେ କୃଷକମାନଙ୍କୁ ୫ ହଜାର କୋଟି ଟଙ୍କା ଦିଆଯାଇଛି। କୃଷକମାନଙ୍କୁ ଦିଆଯାଇଥିବା ୫ ହଜାର କୋଟି ଟଙ୍କାର ଋଣ ଉପରେ ଦୁଇ ପ୍ରତିଶତ ରିହାତି ଦିଆଯାଇ ଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ୨୪୧ଟି ନୂଆ ହ୍ୟାଚେରୀ ପଞ୍ଜିକରଣ ପାଇଁ ଅନୁମତି ଦିଆଯାଇଥିବା ବେଳେ ମାଛ ଚାଷ ପାଇଁ ମଧ୍ୟ ରିହାତି ଦିଆଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ ମତ୍ସ୍ୟ ଚାଷକୁ ନେଇ ଘୋଷଣା ହୋଇଥିବା ୪ଟି ନିଷ୍ପତ୍ତିକୁ ଇତିମଧ୍ୟରେ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି। କୃଷକମାନଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ କୃଷି ସଂରଚନା ପାଇଁ ୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି ଯେଉଁଥିରେ ଆଗାମୀ ସମୟରେ ସେମାନଙ୍କୁ ରପ୍ତାନି କ୍ଷେତ୍ରରେ ସହାୟତା ମିଳିବ ଏବଂ କୃଷି ସମବାୟ ସମିତି, ଷ୍ଟାର୍ଟଅପକୁ ମଧ୍ୟ ସାହାଯ୍ୟ ମିଳିବ।

ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶିଳ୍ପର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଭିତ୍ତିକ ଶ୍ରମ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ। ଏହା ଫଳରେ ୨ ଲକ୍ଷ ୟୁନିଟ ଲାଭାନ୍ଵିତ ହେବେ। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ଏଥିରୁ ୧୧ ହଜାର କୋଟି ଟଙ୍କା ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ମତ୍ସ୍ୟ ପାଳନ ପାଇଁ ଯୋଗାଇ ଦିଆଯିବ। ୯ ହଜାର କୋଟି ଟଙ୍କା କୃଷି କ୍ଷେତ୍ରର ମୌଳିକ ବିକାଶ ପାଇଁ ଖର୍ଚ୍ଚ ହେବ ଏବଂ ଆଗାମୀ ୫ ବର୍ଷରେ ୭୦ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ଲକ୍ଷ ରଖାଯାଇଛି। ଏହି ଯୋଜନା ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଗୁଣ ଅର୍ଥାତ ଏକ ଲକ୍ଷ କୋଟି ଟଙ୍କାର ଅଧିକ ରପ୍ତାନି ହେବା ନେଇ ପୂର୍ବାନୁମାନ କରାଯାଇଛି।

ଅର୍ଥମନ୍ତ୍ରୀ ତୃତୀୟ କିସ୍ତି ଘୋଷଣା କରି କହିଛନ୍ତି ଯେ ଏଥିରେ ପଶୁ ସମ୍ପଦ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ଓ ସେହି ଦୃଷ୍ଟିରୁ ୫୩ କୋଟି ପଶୁଙ୍କୁ ଟୀକାକରଣ କରିବା ପାଇଁ ୧୩ ହଜାର ୩୪୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ନିର୍ମଳା ସୀତାରମଣ କହିଛନ୍ତି, ପଶୁ ସମ୍ପଦ ସ୍ଵସ୍ଥ ହେଲେ ଆନ୍ତର୍ଜାତିକ ସ୍ତରରେ ଏହାର ଚାହିଦା ବୃଦ୍ଧି ପାଇବ। ଏହା ଫଳରେ ପଶୁ ସମ୍ପଦ ଭଲରେ ରହିପାରିବେ ଓ ଦେଶରେ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ପଶୁ ପାଳନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ବିକାଶ ଫଣ୍ଡ ସୃଷ୍ଟି କରାଯାଇଛି ଓ ସେଠି ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଏହି ପାଣ୍ଠିରୁ ଦୁଗ୍ଧ ପ୍ରକ୍ରିୟାକରଣ ଶିଳ୍ପକୁ ସୁଦୃଢ କରାଯାଇ ପାରିବ। ଏହା ରପ୍ତାନି କ୍ଷେତ୍ରରେ ବୃଦ୍ଧି କରାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ହର୍ବାଲ କୃଷିର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରାୟ ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଦେଶରେ ୧୦ ଲକ୍ଷ ହେକ୍ଟର ଜମିରେ ଏହି କୃଷି କରିବା ପାଇଁ ସରକାର ଲକ୍ଷ ରଖିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଗଙ୍ଗା ନଦୀ କୂଳରେ ହଜାର ହଜାର ହେକ୍ଟର ଜମିରେ ହର୍ବାଲ କୃଷି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଥିରେ କୃଷକମାନଙ୍କୁ ପାଖାପାଖି ୫ ହଜାର କୋଟି ଟଙ୍କା ଲାଭ ମିଳିବ। ମହୁମାଛି ପାଳନ ପାଇଁ ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି। ଏଥିରେ ୨ ଲକ୍ଷ ମହୁମାଛି ପାଳକଙ୍କ ଆୟ ବୃଦ୍ଧି ସହ ଉପଭୋକ୍ତାମାନେ ଉନ୍ନତ ମାନର ମହୁ ପାଇପାରିବେ। ବିଶେଷ ଭାବରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଏହି ଯୋଜନା ଫଳପ୍ରଦ ହେବା ସହ ଗାଁରୁ ବିଶ୍ୱକୁ ଏହା ନୂଆ ପଦକ୍ଷେପ ଭାବେ ପରିଗଣିତ ହେବ।

ଟପ୍-ଟୁ-ଟୋଟାଲ ଯୋଜନାରେ ୫୦୦ କୋଟିର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ବିଲାତି ବାଇଗଣ, ପିଆଜ, ଆଳୁ ପାଇଁ ଉଦ୍ଦିଷ୍ଟ ଥିଲା କିନ୍ତୁ ଏବେ ଏହା ସମସ୍ତ ଫଳ ଓ ପନିପରିବା ପାଇଁ ଲାଗୁ ହେବ। ସଙ୍କଟ ସମୟରେ ଏହାକୁ ପାଇଲଟ୍ ଯୋଜନା ଭାବରେ ବିଚାର କରାଯିବ ଏବଂ ପରେ ଏହି ଯୋଜନାକୁ ଆଗକୁ ନେବାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଦ୍ରବ୍ୟ ପରିବହନ ଉପରେ ୫୦ ପ୍ରତିଶତ ରିହାତି ଦିଆଯିବ ଏବଂ ୫୦ ପ୍ରତିଶତ ରିହାତି ଷ୍ଟୋରେଜ୍ ପାଇଁ ମଧ୍ୟ ଦିଆଯିବ। ଏଥିରେ ଶୀତଳ ଭଣ୍ଡାର ମଧ୍ୟ ଅନ୍ତର୍ଭୁକ୍ତ।

ଅର୍ଥମନ୍ତ୍ରୀ କହିଛନ୍ତି, ୧୯୫୫ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ପରିବର୍ତ୍ତନ କରାଯାଉଛି। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ବୃଦ୍ଧି ପାଇବ। ଏଥିରେ କୃଷକମାନେ ଉପକୃତ ହୋଇପାରିବେ। କୃଷି କ୍ଷେତ୍ର ପାଇଁ ଯାହା ଆବଶ୍ୟକ ସରକାର ତାହା କରିବେ ବୋଲି ସେ କହିଛନ୍ତି। କୃଷକମାନଙ୍କ ପାଇଁ ଉଚିତ ମୂଲ୍ୟ ପାଇବା ପାଇଁ ଏହା ଏକ ବଡ ପଦକ୍ଷେପ ହେବ ତେଣୁ କୃଷକଙ୍କ ସ୍ଥିର ଆୟ, ବିପଦମୁକ୍ତ ଚାଷ ଏବଂ ଗୁଣାତ୍ମକ ମାନ ପାଇଁ ଆଇନ ପ୍ରଣୟନ କରାଯିବ। ଏହାଦ୍ୱାରା କୃଷକମାନଙ୍କୁ ଶୋଷଣରୁ ସୁରକ୍ଷା ଦି ହେବ ଏବଂ ସେମାନେ ରପ୍ତାନିକାରୀ ଏବଂ ବଡ ବ୍ୟବସାୟୀଙ୍କ ସହିତ କାମ କରିବାକୁ ସମର୍ଥ ହେବେ।