ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

ସିଏଏକୁ ନେଇ ଜଳୁଛି ଦିଲ୍ଲୀ, ମୃତ୍ୟୁସଂଖ୍ୟା ୭କୁ ବଢ଼ିଲା

crime ଅପରାଧ ଜୀବନଶୈଳୀ ବଡ ଖବର

#ସିଏଏକୁ_ନେଇ_ଜଳୁଛି_ଦିଲ୍ଲୀ,_ମୃତ୍ୟୁସଂଖ୍ୟା_୭କୁ_ବଢ଼ିଲା  ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଜାରି ରହିଛି। ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା  ଭୟଙ୍କର ରୂପ ନେଇଛି।

ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏଯାଏ ୭ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ୍‌ କନଷ୍ଟେବଲ ରହିଛନ୍ତି। ଏବେ ବି ୯୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଶରୀରରେ ଗୁଳିମାଡ଼ର ଦାଗ ରହିଛି।

ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସ ଠାରେ ୱାନ ଟୁ ୱାନ ଆଲୋଚନା ହୋଇଛି। ଏହି ସମୟରେ ମୌଜପୁର, ଗୋକୁଲପୁରୀ ଓ ବ୍ରହ୍ମାପୁରୀ ଠାରେ ପଥର ମାଡ଼ ଓ ପୋଡ଼ାଜଳା ହୋଇଛି। ଦୁର୍ବୃତ୍ତମାନେ ୫ରୁ ଅଧିକ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧୪୪ ଧାରା ଲାଗୁ କରାଯାଇଛି।

ସେହିପରି ଦିଲ୍ଲୀ ପୁଲିସ୍‌ ସହ ଅର୍ଦ୍ଧସାମରୀକ ବାହିନୀଙ୍କୁ  ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ମୌଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଆଜି ସକାଳେ ଏକାଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ତେବେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ପଥରମାଡ଼ର ଶିକାର ହେବାକୁ ପଡ଼ିଥିଲା। ସେହିପରି ଗୋଟିଏ ଅଗ୍ନିଶମ ଗାଡ଼ିକୁ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣରୁ ହିଂସା ସୃଷ୍ଟି ହୋଇଥିବା ଇଲାକାରେ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ବିଭିନ୍ନ ଅଞ୍ଚଳରେ ୩୭ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ପୂର୍ବରୁ ସରକାର ଏଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଯବାନଙ୍କୁ ମୁତୟନ କରିବାକୁ ଚାହୁଁଥିବା ଖବର ମିଳିଥିଲା। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି।

ସ୍ଥିତି ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଦ୍ଧସାମରିକ ବାହିନୀ ଓ ଦିଲ୍ଲୀ ପୁଲିସ୍‌ର ଯବାନ ଅଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୁଲିସ୍‌ କମିଶନ ଅମୂଲ୍ୟ ପଟ୍ଟନାୟକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାନ୍ତି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟି ବିଭିନ୍ନ ଲୋକ ଓ ରାଜନୀତିକ ଦଳ ସହ ସମନ୍ୱୟ ରଖି କାର୍ଯ୍ୟ କରିବ।

ସେହିପରି ଦିଲ୍ଲୀ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରୀ ବୈଠକ ଆଜି ସକାଳେ ବସିଥିଲା। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୈଠକକୁ ଆସିବା ପୂର୍ବରୁ ଲୋକଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଥିଲେ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ମୌଜପୁର, କରଦମପୁରୀ ଓ ଉତ୍ତର ପୂର୍ବର ଏକାଧିକ ଅଞ୍ଚଳରେ ଆମ୍ବୁଲାନ୍ସ ମୁତୟନ କରିଛନ୍ତି। ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ବିଧାୟକଙ୍କ ସହ ବୈଠକ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଭଜନପୁରାଠାରୁ ଆରମ୍ଭ କରି ଜାଫରାବାଦର ରାସ୍ତାଘାଟ ଶୂନଶାନ ରହିଛି। ଦୋକାନ ଓ ବଜାର ବନ୍ଦ କରି ଲୋକମାନେ ଘର ମଧ୍ୟରେ ରହିଛନ୍ତି। ଆନ୍ଦୋଳନକୁ ଦେଖି ଦିଲ୍ଲୀ ମେଟ୍ରୋର ୫ଟି ଷ୍ଟେସନ ବନ୍ଦ ରହିଛି। ଏହି ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିଥିବା ବେଳେ ଟ୍ରେନ ମଧ୍ୟ ଏଠାରେ ରହୁନାହିଁ।

ଏହି ୫ଟି ମେଟ୍ରୋ ଷ୍ଟେସନ ହେଲା ଜାଫରାବାଦ, ମୌଜପୁର-ବାବରପୁର, ଗୋଖୁଲପୁରୀ, ଜୌହରୀ ଏନକ୍ଲଭ ଏବଂ ଶିବ ବିହାର ଷ୍ଚେସନ। ସୋମବାର ଜାଫରାବାଦ, ମୌଜପୁର, ଖଜୁରୀ ଖାସ ଅଞ୍ଚଳରେ ହିଂସା ବ୍ୟାପିବା ପରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରିଥିଲା।

ଗୋଖୁଲପୁରୀରେ ଆନ୍ଦୋଳନକାରୀଙ୍କୁ ପ୍ରଶମିତ କରିବାକୁ ଯାଇ ପୁଲିସ ଅଧିକାରୀ ରତନ ଲାଲ ଆହତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଗୁଳିକାଣ୍ଡ ଯୋଗୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରମାଣିତ ହୋଇଛି।