ଡାକ୍ତରଖାନାରେ ରକ୍ତ କାଳବଜାରୀ : ୮ଗିରଫ

crime ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର ରାଜ୍ୟ

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାରୀ ଅଭିଯୋଗରେ ଧର୍ମଗଡ ପୁଲିସ ରକ୍ତ ଭଣ୍ଡାର ଦୁଇ ଜଣ ଟେକନିସିଆନ ସମେତ ୮ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୪ଜଣ ଦଲାଲ ଓ ଦୁଇ ଜଣ ଅଭ୍ୟାସଗତ ରକ୍ତ ଦାତା ଅଛନ୍ତି। ଗିରଫ ଟେକନିସିଆନ ଦୁଇ ଜଣ ହେଲେ ପ୍ରକାଶ କୁମାର ପଣ୍ଡା,ରମେଶ ନାଗ ଏବଂ ଦଲାଲ ତିନି ଜଣ ହେଲେ ପ୍ରତାପ ବଗର୍ତ୍ତି ,ଲକ୍ଷ୍ମଣ ନାଏକ ଓ ଅମ୍ବୁ ପ୍ରସାଦ ନାଏକ ଓ ନବିନ ଖମାରୀ। ଏମାନେ ସମସ୍ତେ ଧର୍ମଗଡର ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ଅଭ୍ୟାସଗତ ରକ୍ତ ଦାତା ହେଲେ ରଙ୍କାବାହାଲର ଉତ୍ତମ ଦାସ ଓ ଧର୍ମଗଡର କୃଷ୍ଣଚନ୍ଦ୍ର ନାଏକ।ଏନେଇ ଧର୍ମଗଡ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ବାଟୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ପୁଲିସରୁ ମିଳିଥିବା ସୂଚନାନୁଯାୟୀ,  ଉପଖଣ୍ଡ ଡାକ୍ତରଖାନାରେ ରକ୍ତ ପାଇଁ ରୋଗୀଙ୍କୁ ଦଲାଲଙ୍କ ଶୋଷଣର ଶୀକାର ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଗତ ଦୁଇ ଦିନ ତଳେ କଳାହାଣ୍ଡି ଜିଲାପାଳ ଗାଭାଲି ପରାଗହର୍ଷଦ ଅଚାନକ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନରେ ଆସି ରକ୍ତ କଳାବଜାରୀ ହେଉଥିବା ଜାଣିବାକୁ ପାଇଥିଲେ। ରକ୍ତ ନେଉଥିବା ଜଣେ ରୋଗୀଙ୍କ ସହ କଥାବାର୍ତ୍ତା ହେଲାବେଳେ ଜିଲାପାଳ ଏହା ଜାଣିବାକୁ ପାଇ ଉପଖଣ୍ଡ ମେଡିକାଲ ଇନଚାର୍ଜଙ୍କୁ ଏ ବିଷୟରେ ତାଗିଦ କରିଥିଲେ। ଘଟଣାର ଗୁରତ୍ୱ ଦୃଷ୍ଟିରୁ କଳାହାଣ୍ଡି ଏସପି ବାଟୁଲ ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ଅନୁସଂଧାନ ହୋଇଥିଲା। ଏବଂ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ଦୁଇ ଟେକନିସିଆନ ସମେତ ୪ ଦଲାଲ ଓ ଦୁଇ ଅଭ୍ୟସଗତ ରକ୍ତ ଦାତାଙ୍କୁ ଗିରଫ କରିଛି।

ସୁଚନାଯୋଗ୍ୟ ଯେ ପ୍ରାୟତ ଏହି ଡାକ୍ତରଖାନାରେ ରକ୍ତ ବଦଳରେ ରକ୍ତ ମିଳିଥାଏ। କୌଣସି ରୋଗୀକୁ ରକ୍ତ ଦରକାର ହେଲେ ତାଙ୍କ ସଂପର୍କିୟ ଲୋକଙ୍କୁ ଏଥିପାଇଁ ରକ୍ତ ଦାନ କରିବାକୁ ପଡିଥାଏ। ତେବେ ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କ ରକ୍ତର କିଛି କିଛି ଆବଶ୍ୟକୀୟ ପରୀକ୍ଷା ପାଇଁ ରୋଗୀଙ୍କ ସଂପର୍କିୟଙ୍କୁ ସ୍ୱଳ୍ପ ଫିଜ ଦେବାକୁ ପଡିଥାଏ। କିନ୍ତୁ ଉପଖଣ୍ଡ ଡାକ୍ତରଖାନାରେ ଏହି ନିୟମର ଖୋଲାଖୋଲି ଉଲଘଂନ କରି ଦଲାଲ ମାଧ୍ୟମରେ ଟଙ୍କା ଅସୁଲି କରୁଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିଲା। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ଆଇଆଇସି ସତ୍ୟାନରାୟଣ ପ୍ରଧାନ ,ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଓ ଉପ ଜିଲ୍ଳାପାଳ ପଦ୍ମାନାଭ ବେହେରା ମଧ୍ୟ ଉପସ୍ଥିତ ଥିଲେ।