ଲକ୍ ଡାଉନ ଓ ଖତ ଗାଡର ପଦ୍ମ

ଲକ୍ ଡାଉନ ଓ ଖତ ଗାଡର ପଦ୍ମ

ବିଶେଷ

#ଲକ୍_ଡାଉନ_ଓ_ଖତ_ଗାଡର_ପଦ୍ମ            

II ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ II

ଘୁମୁରୀ, ଘୁମୁରୀ , ଘୁମୁରୀ , ବଡ ରହସ୍ୟମୟୀ ନାଁ । ସମସ୍ତେ ଜାଣିଥଲେ ବି ପ୍ରକାଶ୍ୟରେ ଉଚ୍ଚାରଣ ପାଇଁ ସଙ୍କୋଚ କରନ୍ତି । କାରଣ ଆମ ସମସ୍ତଙ୍କର ପ୍ରକୃତ ମୁହଁତଳେ,ଆଉ ଦୁଇ ତିନିଟା ମୁଖା ଲଗା ମୁହଁ ରହିଥାଏ । ସମୟ ଆଉ ସୁଯୋଗ ମିଳିଲେ ସେ ମୁଖା ଲଗାଇ ଆମେ ବାହାରୁ । ଏହି ବେଶିରୁ ବେଶି ମୁଖାପିନ୍ଧା ମଣିଷ ମାନଙ୍କର ଘୁମୁରୀ ସହ ସୁ ସମ୍ପର୍କ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଯେଉଁମାନେ ଘୁମୁରୀ ବିଷୟରେ କିଛି ଆଲୋଚନା ବେଳେ, ତାକୁ ବେଶି ସମାଲୋଚନା କରନ୍ତି, ନିନ୍ଦା କରନ୍ତି,ଘୃଣା ବି କରନ୍ତି ବୋଲି କୁହନ୍ତି, ସେହିମାନେ ଏକା ଏକା ଘୁମୁରୀ ସହ ନିରୋଳାରେ ସମୟ କଟାନ୍ତି । ଘୁମୁରୀକୁ ପ୍ରସଂଶାରେ ପୋତି ପକାନ୍ତି । ସେମାନଙ୍କ ଭାଷାରେ ଘୁମୁରୀ କେବଳ ସୁନ୍ଦରୀ ନୁହେଁ , ଅତି ସୁନ୍ଦରୀ । ଜାଣ’ତ ଅପ୍ ସରୀ ।  ଘୁମୁରୀ ଦେହ ଭୂଗୋଳର ଚିତ୍ର ଅନନ୍ୟ,ଦୁର୍ଲ୍ଲଭ । ହୋଇପାରେ ସେ ଈଶ୍ଵରଙ୍କ ସୃଷ୍ଟିରେ ଏକମାତ୍ର ସୁନ୍ଦରୀ । ସେ ଅତୁଳନୀୟା । ଅନୁପମା ।
    ଘୁମୁରୀ ର ଛନ୍ ଛନ୍ ଯୁବତୀ ବୟସରେ ଏ ସବୁ ତା’ପାଇଁ ଉଦ୍ଦିଷ୍ଟ ଉପମା,ଅନୁପ୍ରାସ ଶୁଣି ତାକୁ ମିଠା ଲାଗୁଥିଲା । କୁତୁ କୁତୁ ବି ଲାଗୁଥିଲା ।  କିନ୍ତୁ ତା’ବୟସ ବଢିବା ସଙ୍ଗେ ସଙ୍ଗେ ସେହି ମୁଖାପିନ୍ଧା ମଣିଷ ମାନଙ୍କୁ ସେ ନିଜ ପାଖକୁ ନିମନ୍ତ୍ରଣ କରି ହାରାଶ ହେଉଥିଲା । ସେହି ମାନଙ୍କୁ ଭେଟୁଥିଲା ତା’ ବସ୍ତିରେ ଥିବା ତା’ଯୁବତୀ ବୟସର ନୂଆହୋଇ ଏ ରାଇଜରେ ପାଦ ଥାପିଥିବା
ନବାଗତା ମାନଙ୍କ ପାଖେ ।
  Indian Art - Pictify - your social art network
ତା’ପରେ ଘୁମୁରୀ ବି ମୁଖା ପିନ୍ଧିଲା । ଆଉ ଘରେ ନ ବସି ବାହାରକୁ ବାହାରିଲା । ଏକା ଏକା ଆଉ ରୋଜଗାର କରିବା ଯଦି ସମ୍ଭବ ନୁହେଁ, ଆଉ କେତେକଙ୍କୁ ନେଇ ତା ସାମ୍ରାଜ୍ୟ ଖୋଲିଲା । ତା’ ସାମ୍ରାଜ୍ୟ ରେ ଆଉ ଗୋଟିଏ ଘୁମୁରୀ ନୁହେଁ ଅନେକ ଘୁମୁରୀ,ଚାମେଲି,ରଜନୀ ଗନ୍ଧା ସାମିଲ୍ ହେଲେ । ତା’ଠୁ ଦୂରେଇ ଯାଇଥିବା ମୁଖାପିନ୍ଧା ମଣିଷ ମାନଙ୍କର ଭିଡ ପୁଣି ଜମିଲା,ପୁଣି ଚାଲିଲା ଆସର । ରାତି ଅସାଡ ହେଲା କଞ୍ଚା ମାଂସର ମାତାଲ୍ ବାସ୍ନାରେ ।
  ଘୁମୁରୀ ବେଳେ ବେଳେ ମାପୁଥିଲା, ଏହି ନାରୀ ମାଂସ ଲୋଭୀ ମୁଖାପିନ୍ଧା ମଣିଷ ମାନଙ୍କର ଧୈର୍ଯ୍ୟକୁ । ସେମାନେ ଚାହୁଁଥିବା ନିର୍ଦ୍ଦିଷ୍ଟ ଏକ ଫୁଲର ଅନୁପସ୍ଥିତି ଜାଣିବା  ପରେ, କିପରି ଅସ୍ତ ବ୍ୟସ୍ତ ହୋଇପଡନ୍ତି । ଘୁମୁରୀର ଗୋଡହାତ ଧରି ପକାନ୍ତି । ଟଙ୍କାର ପରିମାଣ ବି ବଢି ବଢି ଚାଲେ । ଆହା ବିଚରା,… ଦିବାଲୋକରେ ସର୍ବ ସାଧାରଣରେ ନିଜର କ୍ଷମତା,ପ୍ରତିପ୍ରତି, ଆର୍ଥିକ ଔଧ୍ୟତ୍ୟ ଦେଖାଇ ନିରୀହ ମଣିଷ ମାନଙ୍କ ମୁନିବ ବୋଲି ଏହିମାନେ କେତେ ଗର୍ବ କରନ୍ତି । ତାଙ୍କ କଲମ ମୂନ,ହୁକୁମାତି ଜଣଙ୍କ ଭାଗ୍ୟକୁ ପତର ତଳେ ନୋହିଲେ ପଥର ତଳେ ରଖିପାରେ । ଏହି ଅହଂ ଭିତରେ ବଞ୍ଚିବା ଥିବା ମଣିଷ ମାନେ ଘୁମୁରୀ ପାଖେ କେମିତି ନିଉଛଳି ହୁଅନ୍ତି, ଘୁମୁରୀ ଦେଖେ । ବେଳେ ବେଳେ ମନକୁ ମନ ହସେ । ହସେ ମାନେ ଏକ ନିରୋଳା ସ୍ଥାନକୁ ଯାଇ,ହସି ହସି ବେଦମ୍ ହୁଏ । ଆରେ, ଏତେ ହସୁଛି କ’ଣ , ସେ କ’ଣ ପାଗଳି, ନା’କଣ ? ସେ କେମିତି ପାଗଳି ?, ସେ’ତ ବନିଶୀ ପକାଇ ବସିଛି,ଥୋପ ଗିଳି ରୋହି,ମିଟିକାଳି, ଭାକୁର ମାନେ ସବୁ ଖେଳୁଛନ୍ତି, ତା’ରି ଇଙ୍ଗିତରେ । ଯେତେବେଳେ ଯାହାକୁ ଇଚ୍ଛା,ତାକୁ ଶିକାର କରିପାରିବ ।
     ବେଳେ ବେଳେ ଏକ୍ ଲା ଥିବା ବେଳେ ଘୁମୁରୀକୁ କାନ୍ଦଲାଗେ । କାନ୍ଦେ ମାନେ, ଭୋ ଭୋ ହୋଇ ରାଡି ଛାଡି କାନ୍ଦେ । ସେ କିଏ ? ତା’ର ବାପା କିଏ ? କେବଳ ସେ ଜାଣେ ତା’ ମାକୁ ।
      ଅନେକ ଲୋକ ଆସନ୍ତି  ତା’ ମାଆ ପାଖକୁ । ତାକୁ ଗେଲ କରନ୍ତି ଚକଲେଟ୍ ଦିଅନ୍ତି । ନିରୋଳାରେ ତା ମାଆ ସହ ମିଶନ୍ତି ଗଲାବେଳେ ତା’ମା କୁ ପୁଳାଏ ଟଙ୍କା ବଢେଇ ଦେଇ ଯାଆନ୍ତି । ତା’ମା ଘୁମୁରୀ ହାତକୁ ସେ ଟଙ୍କା ଦିଏ । ଘୁମୁରୀ ସେ ଟଙ୍କାରେ ଡାଲି,ଚାଉଳ,ପରିବା ଏବଂ ମା’ର ବୟସ ଲୁଚାଇବା ପାଇଁ  ଫେସ୍ ପାଉଡର,ସେଣ୍ଟ, ନେଲ୍ ପଲିସ୍  ଆଦି ବି କିଣି ଆଣେ ।
    ଦିନେ ତା’ମା ତାକୁ କୋଳେଇ ଧରି କାନ୍ଦିଲା ଭୋ,ଭୋ, ହୋଇ । ଘୁମୁରୀ କୁ ବୁଝେଇଲା, ତୁ ସ୍କୁଲ ଯିବୁ । ପାଠ ପଢିବୁ । ଦଶ ଜଣକ ଆଗରେ ମୁହଁ ଟେକି ଠିଆ ହବୁ । ତୋ ପରିଚୟ,ତୋ ପିଲାଙ୍କ ପରିଚୟ ତୁ ତିଆରି କରିବୁ । ଗଢିବୁ ଗୋଟାଏ ସୁନାର ସଂସାର । ମୋ ମୁଣ୍ଡଛୁଁ,ମୋ ରାଣ ଖା । କେବେ ଏ ଧନ୍ଦାର ନା’ ଗନ୍ଧ ଧରିବୁନି ।
     ମା ତାକୁ ବୋଧେ ଏଇଥିପାଇଁ କହୁଥିଲା, ତା’ର ଆଉ ବେଶିଦିନ ବଞ୍ଚିବାର ନଥିଲା । ଗୋଟାଏ ବିଦେଶୀ ରୋଗ ତାକୁ ହୋଇଥିଲା । ସେହି ରୋଗରେ ସେ ଚାଲିଗଲା । ମାକୁ ଘୁମୁରୀ ଅନେକ ବାର ପଚାରି ଥିଲା, ମୋ ବାପା କିଏ ? ତା’ମା କେବଳ କାନ୍ଦିଥିଲା ଓ କହିଥିଲା ମୋ ବାପା ତ କିଏ ମୁଁ ଜାଣିନି, ତୋ ବାପା କିଏ କହିବି କେମିତି ?
     ମା’ ମରିଗଲା ପରେ ଘୁମୁରୀ ଚାହିଁଥିଲା ସେ ବସ୍ତି ଭିତରୁ ଚାଲିଯିବ,କାହିଁ କେତେ ଦୂରକୁ…… ଦୂରକୁ……. ଦିଗ୍ ବଳୟ ଆରପାରିକୁ । ନର୍କରୁ…………ସ୍ଵର୍ଗଆଡକୁ । କିନ୍ତୁ ସବୁ ଅଙ୍କ ତା’ର ଭୁଲ ହେଇଗଲା । ସେ କୁଆଡେ ଯିବ, କୋଉଠି ରହିବ,ଚିନ୍ତା କରୁ କରୁ ତିନିଦିନ ଗଡି  ଯାଇଥିଲା । ସେମିତି ପେଟର ଭୋକକୁ ମାରି ସେ ଘର ଭିତରେ କବାଟ ବନ୍ଦ କରି ରହିଲା । ତା’ ପଡୋଶୀ,ସାଙ୍ଗ ସାଥୀ ମାନେ ଯେତେ ଡାକିଲେ ବି ଶୁଣିଲାନି । ଶେଷକୁ, ଦିନେ ରାତିରେ ପଡୋଶୀମାନେ ତା’ କବାଟ ଭାଙ୍ଗି ତାକୁ ବାହାର କଲେ । ତା’ର ଅନିଚ୍ଛା ସତ୍ଵେ ତା’ ମା ପାଖକୁ ଆସୁଥିବା ଜଣେ ବାବୁ ତାକୁ ବହୁ ପ୍ରକାରେ ବୁଝାଇଲେ, ବହୁ ଟଙ୍କାର ଲୋଭ ବି ଦେଖାଇଲେ, ତା’ସହ ମିଶିବା ପାଇଁ ଘୁମୁରୀର କିନ୍ତୁ ଏକା ଜିଦ୍ ନା,ନା,ନା, ସେ ନର୍କ ପୁରରେ ପାଦ ଦେବନି । ସେ ବାବୁ ଜଣକ ତା’ ନାକକୁ ଗୋଟେ ରୁମାଲରେ ଚିପି ଧରି କିଛି ଗୋଟେ ଓଷଧ କି କ’ଣ ଶୁଙ୍ଘାଇଦେଲେ ବାସ୍ , ସକାଳୁ ଉଠି ସେ ଦେହସାରା ଦରଜ ଅନୁଭବ କରୁଥିଲା । ଦେହରେ ନଖ,ଦାନ୍ତର ଚିହ୍ନ ବି । ସେ କିଛି ବି ଭାବିପାରୁନଥିଲା । ଦେଖିଲା ତା’ ବିଛଣାରେ ପୁଳାଏ ଟଙ୍କା ପଡିଛି । ସେ ମନ ଭରି କାନ୍ଦିଲା । ହେଲେସେ କାନ୍ଦ କିଏ ଶୁଣୁଛି । ସେ ଏବେ କ’ଣ କରିବ? ଆତ୍ମହତ୍ୟା ? ନା ସେ ଏ ବସ୍ତି ଛାଡି ପଳେଇବ ? ତେବେ କୁଆଡେ,କାହା ସାଥୀରେ ? ଏମିତି ଭାବନା ଭିତରେ ସେ ବୁଡିରହି ଥିଲାବେଳେ ଦିନ ସରି ରାତି ହେଲା, ବସ୍ତି ଭିତରକୁ ସବୁଦିନ ପରି ଅନ୍ଧାର ପଶି ଆସିଲା । ସେଇ ମୁଖା ପିନ୍ଧା ଧୋବ ଧଉଳିଆ ବାବୁମନେ ଲୁଚିଛପି ଅନ୍ଧାରୀ ବିଜେ କଲେ । ଜଣକ ଘର କବାଟ ଖୋଲିଲେ ଆଉ ଜଣେ କିଏ ବାହାରୁଥିଲେ, ଆଉ ଜଣେ କିଏ ବାହାରୁ ଭିତରକୁ ପଶୁଥିଲେ । କେହି କାହାକୁ ଜାଣିନଥିଲେ ଯେମିତି । ସେଇବେଳେ ତା’ କବାଟ ପେଲି ସେଇ ବାବୁ ଜଣକ ପୁଣି ତା’ ଘରକୁ ଆସିଲେ । ତା’ ବାପା କିମ୍ବା ଜେଜେ ଥିଲେ ଯେତିକି ବୟସର ହୋଇଥାନ୍ତେ, ସେତିକି ବୟସର ହେବେ । ତା’ ଦେହରେ ଲାଗିବାକୁ ଆରମ୍ଭ କଲେ । ଘୁମୁରୀ ହାତ,ଗୋଡ ଧରି ନେହୁରା ହେଲା । ହେଲେ ସବୁ ଯେମିତି ଫେଲ ମାରିଲା । ବାବୁଟା ପୁଣି ଗୋଟେ ରୁମାଲରେ ତା’ ନାକରେ କ’ଣ ଗୋଟେ ଓଷଧ ଲଗାଇ, ତା ଦେହର ଲାଳସା ମେଣ୍ଟାଇଲା । ଏମିତି ଅନେକ ଦିନ ଚାଲିଲା । ସେ ବସ୍ତିରୁ ବାହାରି ଗୋଟେ ନୂଆ ଦୁନିଆ ଦେଖିବା,ନୂଆ ସଂସାର ଗଢିବାର ସ୍ଵପ୍ନ ତା’ର ସବୁଦିନ ପାଇଁ ସ୍ଵପ୍ନରେ ରହିଗଲା । ଆସ୍ତେ ଆସ୍ତେ ସବୁ ତା’ର ଅଭ୍ୟାସରେ ପରିଣତ ହୋଇଗଲା । ସେ’ ବି ଏବେ ସେଇ ବିଦେଶୀ ରୋଗର ଶିକାର । କିନ୍ତୁ ସେ ଆଉ ନୀରବରେ ବସିଲା ନାହିଁ । ସେ ଏବେ ପାଲଟି ଗଲା ଏକ ହ୍ରିସଂ ଶିକାରୀ । ପ୍ରତିଦିନ ଖୋଜିଲା ନୂଆ ନୂଆ ଶିକାର, ସେଇମାନଙ୍କ  ଦେହରେ ବୁଣିଦେବ ସେ ବିଦେଶୀ ରୋଗର ଜୀବାଣୁ । ଏହା ହେଲେ ସେ ଟିକେ ଆତ୍ମସନ୍ତୋଷ ପାଇବ ।
   ଅଶୋକ ବାବୁଙ୍କୁ ଘୁମୁରୀ ତା’ ଜୀବନ ଇତିହାସର ପୃଷ୍ଠା ପରେ ପୃଷ୍ଠା କହି ସାରିବା ପରେ ଭୋ ଭୋ ହୋଇ କାନ୍ଦିଲା । କରୋନା ବେଳେ ସେ ବସ୍ତିକୁ ରିଲିଫ ବାଣ୍ଟିବାକୁ ଯାଇଥିବା ଅଶୋକ ବାବୁଙ୍କ ହାତ ଗୋଡ ଧରି ସେ ଅନୁରୋଧ କଲା ; ବାବୁ, ଲକ୍ ଡାଉନ୍ ଆମ ପେଟକୁ ତ ଲକ୍ ଡାଉନ କରିଛି । ହେଲେ ମୋ ଝିଅ, ସେ ବି ଲକ୍ ଡାଉନର ଶିକାର । ତା’ ହାତରେ ଟଙ୍କାଟେ ନାହିଁ । ଏ ସହରର ବହୁତ ଦୂରରେ ବ୍ରହ୍ମପୁର ସହରରେ ଗୋଟିଏ ଭଡା ଘର ନେଇ ରହୁଛି । ବାରମ୍ବାର ଫୋନ କରୁଛି,ହେଲେ ମୁଁ ନିରୁପାୟ । କାରଣ ଲକ୍ ଡାଉନରେ ଶିକାର କାହାନ୍ତି ? ସେମାନେ ବି ଲକ୍ ଡାଉନର ଶିକାର । ମୁଁ ତା’ପାଖକୁ ଟଙ୍କା ପଠେଇବି କୋଉଠୁ ?
  Illustration 03 | Female art painting, Indian art paintings ...
ଅଶୋକ ବାବୁ ଏତକ ଶୁଣିସାରିବା ପରେ, ତାଙ୍କ ଆଖି ତଳେ ଜମାଟ ବାନ୍ଧି ଆସୁଥିବା ଦୁଇଧାଡି ଲୁହକୁ  ରୁମାଲ ରେ ପୋଛୁ ପୋଛୁ କହିଲେ ; ମୋତେ ଝିଅର ଠିକଣା ଦେଇପାରିବେ ?
   ଝିଅର ଠିକଣା ଦେବି , କାହାକୁ ? ଏ ବାବୁଙ୍କୁ ? ମୋରି ପରି ଅବସ୍ଥା ପୁଣି ଝିଅର ହବନି ତ ? ବାର ବର୍ଷର ତପସ୍ୟା ଶେଷରେ ଶୁଖୁଆ ପୋଡାରେ ଯିବନି ତ ? କେତେ କଷ୍ଟରେ ତାକୁ ଏ ବସ୍ତିରୁ ଦୂରେଇ ରଖିଛି । ଦେହର ରକ୍ତ,ମାଂସ ବିକି ତାକୁ ବଞ୍ଚାଇଛି । କେମିତି ସେ ବିଶ୍ଵାସ କରିବ ଏ ବାବୁଙ୍କୁ । ବିଶ୍ଵାସର ମାପକାଠି କ’ଣ ? ଏ ନର୍କ ପୂରରୁ ଦୂରେଇ ଗୋଟେ ସ୍ଵର୍ଗ ପୁରରେ ରଖିଛି । ମଣିଷ ମନକୁ ମାପିବାର ଯନ୍ତ୍ର କାଇଁ ? ଘୁମୁରୀର ନୀରବତା କୁ ଠଉରେଇ ପାରିଲେ ଅଶୋକ ବାବୁ । ପଚାରିଲେ, ଆପଣଙ୍କ ଘରେ କୌଣସି ଠାକୁର ଠାକୁରାଣୀଙ୍କ ଫଟୋ ଅଛି । ଘୁମୁରୀ ମୁଣ୍ଡ ହଲାଇ ହଁ କଲା । ଭିତରକୁ ଯାଇ ଜଗନ୍ନାଥ ଙ୍କ ଫଟୋ ଟା ଆଣି ଅଶୋକ ବାବୁଙ୍କ ହାତକୁ ବଢାଇଦେଇ କହିଲା, କେବଳ ୟାରି ଉପରେ ବିଶ୍ଵାସ  ରଖି ଝିଅକୁ ଏ ନର୍କ ପୁରୀରୁ ସ୍ଵର୍ଗ ପୁରୀରେ ଛାଡି ଦେଇଛି । ତା’ ହାତରେ ଟେକିଦେଇ ମୁଁ ବସିଛି । ତେଣିକି ସେ ଯାହା କରିବ । ଅଶୋକ ବାବୁ ଜଗନ୍ନାଥଙ୍କ ଫଟୋକୁ ଧରିଲେ ଓ ଶପଥ କରି କହିଲେ ଆଜିଠୁ ସେ ମୋ ଝିଅ । ତା’ର ସମସ୍ତ ଦାୟିତ୍ଵ ମୋର । ଘୁମୁରୀ ଚାହିଁଲା, ଅଶୋକ ବାବୁଙ୍କ ମୁହଁକୁ ! ଦେହ ଜୀବିର ଝିଅ ଅଶୋକ ବାବୁଙ୍କ ଝିଅର ପରିଚୟ ନେଇ ବଞ୍ଚିବ ? ତେବେ ସବୁ ମଣିଷଙ୍କ ଭିତରୁ ମାନବିକତା ମରିଯାଇଛି, ଏ କଥା ଭାବିବା ଭୁଲ । ସେ ଅଶୋକ ବାବୁଙ୍କ ହାତକୁ ଝିଅର ଠିକଣା ବଢେଇ ଦେଉ ଦେଉ ଅନୁରୋଧ କରୁଥିଲା ମୋତେ ଏ ରୋଗ ହେଇଛି ବୋଲି ତାକୁ କହିବେନି ବାବୁ ।  ମୋ ରାଣ । ସେ ବଞ୍ଚି ଥାଉ ଥାଉ ମରିଯିବ ।
   ଅଶୋକ ବାବୁ ବ୍ରହ୍ମପୁର ସହରରେ ଅନେକ ଖୋଜା ଖୋଜି ପରେ ଘୁମୁରୀ ଝିଅର ଠିକଣା ପାଇଲେ । ମା’ ପଠାଇଛନ୍ତି କହି,କିଛି ଟଙ୍କା ତା’ ହାତକୁ ଦେଲେ । ସେ ଟଙ୍କା ଧରିଲା, ମା କେମିତି ଅଛି ବୋଲି ପଚାରିଲା ଓ ଖୁସିରେ କହିଲା, ହଁ ଶୁଣନ୍ତୁ ବାବୁ, ମା କୁ କହିବେ ମୁଁ ଏମ.ଏ. ପରୀକ୍ଷାରେ ଫାଷ୍ଟ କ୍ଳାସ ଫାଷ୍ଟ ହେଇଛି ।
ଅଶୋକ ବାବୁଙ୍କ ଆଖିରେ ଭାସି ଉଠୁଥିଲା ଘୁମୁରୀର ଲୁହ ଛଳ ଛଳ ଆଖି ଓ ବେଳକୁ ବେଳ ସରି ଆସୁଥିବା ଯନ୍ତ୍ରଣା କ୍ଲିଷ୍ଟ ମୁହଁ । ସେ କହିଲେ ବୋଉ ଠିକ ଅଛି । ମୋର ଠିକଣା ଓ ଫୋନ ନମ୍ବର ରଖ ଯେତେବେଳେ ଯାହା ଦରକାର ପଡିବ ମତେ ଫୋନ କରିବ ।
    ଘୁମୁରୀ ଝିଅ ତା’ଆଖି ପୋଛି କହିଲା ହଉ …… ମୁଁ ଆପଣଙ୍କୁ କ’ଣ ଡାକିବି ? ଅଶୋକ ବାବୁ ଅନ୍ୟମନସ୍କ ହୋଇ କହିଲେ, ବାପା । ମତେ ବାପା ଡାକିବୁ । ଘୁମୁରୀ ଝିଅ ଆଉ ଆଖି ଲୁହକୁ ସମ୍ଭାଳି ନପାରି ଖୁବ୍ ଧିର ଅଥଚ ଆତ୍ମୀୟତାରେ ଡାକିଲା ; ବାପା ….
    ଅଶୋକ ବାବୁ ଫେରୁ ଫେରୁ ମନକୁ ମନ କହୁଥିଲେ ଲକଡାଉନ ରେ ବି ଖତ ଗାଡର ପଦ୍ମ ବଞ୍ଚିଛି । ଧନ୍ୟ ପ୍ରଭୁ ଜଗନ୍ନାଥ ।