ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ବଡ ଖବର ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ଅଙ୍ଗଦାନ_ପାଇଁ_ସଚେତନ_କରୁଛନ୍ତି_ପ୍ରମୋଦ     ବ୍ରହ୍ମପୁର  : ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ ହାର ନମାନି ସେ ଏହି ମହତ୍‌ କାମ ପାଇଁ ପୂରା ଭାରତ ଯାତ୍ରା କରିବାକୁ ଲକ୍ଷ ରଖିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରଠାରେ ଗଞ୍ଜାମ ଜିଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳ ମଧ୍ୟ ତାଙ୍କ ମହତ୍‌ କାମକୁ ପ୍ରଂଶସା କରିବା ସହ ପରିଣତ ବୟସରେ ଏପରି ଭାରତ ସାରା ବୁଲିବା ସହଜ ନୁହେଁ ବୋଲି କହିଥିଲେ। ଏନେଇ ତାଙ୍କୁ ଜିଲାପାଳ ଧନ୍ୟବାଦ ଜଣାଇଥିଲେ। ଗଞ୍ଜାମ ଜିଲାରେ ମଧ୍ୟ ଭଞ୍ଜନଗର ଓ ଦିଗପହଣ୍ଡି ଅଞ୍ଚଳର ୨ ଜଣ ଏପରି ଅଙ୍ଗଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପାଇଁ ସୁରଜ୍‌ ଆୱାର୍ଡ ଆରମ୍ଭ କରିଛନ୍ତି। ଯିଏ ଅଙ୍ଗଦାନ କରିବ ତାଙ୍କୁ ଏହି ଆୱାର୍ଡ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଶୁକ୍ରବାର ସକାଳେ ପ୍ରମୋଦ ବ୍ରହ୍ମପୁର ସହରରେ ପହଞ୍ଚତ୍ ବୁଲି ବୁଲି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ ସହ ଅନୁରୋଧ କରିଥିଲେ। ଜଣେ ଜୀବିତ ଅବସ୍ଥାରେ ନିଜର କିଡ୍‌ନୀ, ଲିଭର୍‌ ଆଦି ବିଭିନ୍ନ ଅଙ୍ଗ ଦାନ କରି ୮ ଜଣଙ୍କ ଜୀବନ ବଞ୍ଚାଇପାରିବେ। ଯାହାର ବ୍ରେନ୍‌ ଡେଡ୍‌ ହୋଇଯାଏ ସେ ମଧ୍ୟ ଆଖି, ହାର୍ଟ ଦାନ କରି ଲୋକଙ୍କୁ ବଞ୍ଚାଇପାରିବେ ବୋଲି ମହାଜନ କହିଛନ୍ତି। ଏପରିକି ଜଣଙ୍କ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖି ଓ ମୃତଦେହ ଦାନ କରିପାରିବେ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଭାରତ ସାରା ବୁଲୁଛି ବୋଲି ପ୍ରମୋଦ କହିଛନ୍ତି।

ଗାଁର ଜଣେ ସାମରିକ କର୍ମଚାରୀଙ୍କ ୨ଟି କିଡ୍‌ନୀ ଖରାପ ହୋଇଯାଇଥିବାରୁ ପ୍ରମୋଦ ଗୋଟିଏ କିଡ୍‌ନୀ ୨୮ ଅକ୍ଟୋବର ୨୦୦୦ରେ ତାଙ୍କୁ ଦାନ ମଧ୍ୟ କରିସାରିଛନ୍ତି। ଏବେ ତାଙ୍କର ଗୋଟିଏ କିଡ୍‌ନୀ ଅଛି। ଏଥିସହ ଗତ ୨୦୧୮-୧୯ରେ ମଧ୍ୟ ୧୯ ରାଜ୍ୟ ବୁଲି ୧୦୦ ଦିନରେ ୧୨ ହଜାର ୫ଶହ କିମି ଅତିକ୍ରମ କରି ଏପରି ସେ ସଚେତନ କରିଛନ୍ତି। ଏଥିପାଇଁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କର ନଁା ରହିଛି। ତାଙ୍କ ଘର ମହାରାଷ୍ଟ୍ର ରାଜ୍ୟ ସାଙ୍ଗଲି ଜିଲା ଧବାଲି ଗାଁରେ। ବୃତ୍ତିରେ ସେ ଜଣେ ଚାଷୀ। ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି। ଜାନୁୟାରୀ ୧୮ରେ ସେ ବାଇକ୍‌ରେ ଏହି ଯାତ୍ରା ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର, ଗୋଆ, କର୍ନାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରିକ୍ରମା ପରେ ଓଡିଶାର ଗଞ୍ଜାମ ଜିଲାରେ ପହଞ୍ଚତ୍ଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାପରେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟ ବୁଲି ଘରକୁ ଫେରିବେ।