ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

୨୦ମାର୍ଚ୍ଚରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ବଡ ଖବର ଅପରାଧ ଦେଶ -ବିଦେଶ

#୨୦_ମାର୍ଚ୍ଚରେ_ଫାଶୀ_ଖୁଣ୍ଟରେ_ଝୁଲିବେ_ନିର୍ଭୟା_ଦୋଷୀ     ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନଙ୍କ ପାଇଁ ଆଉ ଥରେ ଡେଥ ଓ୍ଵାରେଣ୍ଟ ବା ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ଏକ କୋର୍ଟ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ ।

ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହା ପରେ ନୂଆ ଡେଥ ଓ୍ଵାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ ।

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ  ଦିଲ୍ଲୀରେ  ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ୨୦୧୮ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ । ପରେ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦୋଷୀମାନଙ୍କ ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ ।