ଏ ବର୍ଷ ଭଙ୍ଗା ହେବନି ତିନି ରଥ

ଏ ବର୍ଷ ଭଙ୍ଗା ହେବନି ତିନି ରଥ

ବଡ ଖବର ଓଡିଶା ଜିଲ୍ଲା ପୁରୀ

#ଏ_ବର୍ଷ_ଭଙ୍ଗା_ହେବନି_ତିନି_ରଥ        ପୁରୀ : ଶ୍ରୀଜଗନ୍ନାଥ ବଲ୍ଳଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ। ବୁଧବାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ସଂଗ୍ରହାଳୟ ପାଇଁ ପ୍ଲାନ ଅନୁମୋଦନ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ନଷ୍ଟ ହେଉଥିବା କାଠଗୁଡିକୁ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବର୍ଷ ରଥଯାତ୍ରା ଶେଷହେବା ପରେ ରଥଗୁଡିକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଏ। ଚଳିତବର୍ଷ ରଥଗୁଡିକୁ ଭଙ୍ଗାନଯାଇ ସଂରକ୍ଷଣ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ମହାରଣା ସେବକଙ୍କ ସହ ବୁଧବାର ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବର୍ଷ ତମାମ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ଦାରୁବ୍ରହ୍ମଙ୍କ ତିନିରଥ ଦେଖିବାର ସୁଯୋଗ ପାଇପାରିବେ।ମନ୍ଦିର ପ୍ରଶାସନରେ ଏହା ଆଉ ଏକ ନୂଆ ଇତିହାସ ସୃଷ୍ଟିକରିବ। ସେହିପରି ଶ୍ରୀମନ୍ଦିର ସେବକଙ୍କ ପାଇଁ ୩୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ଏବଂ ୧୫ଶଯ୍ୟା ବିଶିଷ୍ଟ କୋଭିଡ ହାସପାତାଳ ନିମନ୍ତେ ବୁଧବାର ବୈଠକରେ ସ୍ଥିର କରାଯାଇଛି। ପୁରୀର ଏକ ହୋଟେଲକୁ ଚୁକ୍ତିଭିତ୍ତିକ ଭାବେ ଭଡା ନିଆଯାଇ ସେବକଙ୍କ ପାଇଁ ସେଠାରେ କୋଭିଡ୍‌ କେୟାର କେନ୍ଦ୍ର କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀମନ୍ଦିରର କୌଣସି ସେବକ ଯଦି କରୋନାରେ ସଂକ୍ରମିତ ହୁଅନ୍ତି କିମ୍ବା ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କୁ ସେଠାରେ ଚିକିତ୍ସା କରାଯିବ। ଏଥିପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ନିୟୋଜିତ କରାଯିବ। ମନ୍ଦିର ପ୍ରଶାସନ ନିଜସ୍ବ କୋଭିଡ ହାସପାତାଳ ନିର୍ମାଣ କରିବାକୁ ରାଜ୍ୟ ସରକାର ଚିଠିଲେଖି ପରାମର୍ଶ ଦେଇଥିଲେ। ତାହାକୁ ଭିତ୍ତିକରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ଏକ ହୋଟେଲ ଚିହ୍ନଟ କରିବାକୁ ପ୍ରଶାସକ (ନୀତି) ଏବଂ ଅତିରିକ୍ତ ଜିଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି।