#ଶ୍ରୀଜଗନ୍ନାଥ_ମନ୍ଦିରର_ଜମା_ଟଙ୍କା_ଫେରାଇ_ଆଣିବା_ଲାଗି_ଦାବି ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ୟେସ୍ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ଫେରାଇ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ଯେହେତୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଉଠାଣ ଉପରେ କଟକଣା ଲଗାଇଛନ୍ତି, ସେ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ପାଣ୍ଠି ଉଠାଣକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଏଥିସହ ସାଂସଦମାନେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୀତାରମଣଙ୍କୁ ଏ ନେଇ ଲେଖିଥିବା ଚିଠିର ଏକ ନକଲ ହସ୍ତାନ୍ତର କରିଥିଲେ। ଏହାପରେ ଅର୍ଥମନ୍ତ୍ରୀ ସୀତାରମଣ ବିଜେଡି ସାଂସଦମାନଙ୍କୁ ଆଶ୍ବାସନା ଦେଇ କହିଥିଲେ କି ୟେସ୍ ବ୍ୟାଙ୍କରେ ଜମାଥିବା ପ୍ରତିଟି ଟଙ୍କା ସୁରକ୍ଷିତ ରହିଛି ଏବଂ ଜମାକାରୀ ଏହା ଫେରିପାଇବେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ୟେସ୍ ବ୍ୟାଙ୍କ ପ୍ରସଙ୍ଗ ଆଲୋଚନା କରିଥିଲେ।