ପ୍ରବାସୀ ମାନଙ୍କ ରାଜ୍ୟକୁ ପ୍ରବେଶ ନେଇ ଓଡିଶା ହାଇକୋର୍ଟଙ୍କ ରାୟ ସୁପ୍ରିମ କୋର୍ଟରେ ସ୍ଥଗିତ

ପ୍ରବାସୀ ମାନଙ୍କ ରାଜ୍ୟକୁ ପ୍ରବେଶ ନେଇ ଓଡିଶା ହାଇକୋର୍ଟଙ୍କ ରାୟ ସୁପ୍ରିମ କୋର୍ଟରେ ସ୍ଥଗିତ

ବଡ ଖବର ଓଡିଶା

#ଓଡିଶା_ହାଇକୋର୍ଟଙ୍କ_ରାୟ_ସୁପ୍ରିମ_କୋର୍ଟରେ_ସ୍ଥଗିତ             ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟ ପ୍ରବାସୀଙ୍କ ଓଡ଼ିଶା ପ୍ରବେଶକୁ ନେଇ ଜାରି କରିଥିବା କଟକଣା ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗତକାଲି ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ  ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ। ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ନିଶ୍ଚିତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବେ। ମାତ୍ର ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ.କେ.କାଉଲ୍ ଏବଂ ଜଷ୍ଟିସ୍ ବି ଆର ଗବାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ ତାଙ୍କର ଣୁଣାଣିରେ କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ଲୋକଙ୍କୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବେଶକୁ ନିଷେଧ କରିଛି ତାହା ଉପରେ ରହିତାଦେଶ ଜାରି କରୁଛୁ।

ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ରାଜ୍ୟମାନେ ଯଦି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଚାହୁ ନାହାନ୍ତି ତେବେ ସେମାନେ ଏଥି ଲାଗି ବ୍ୟବସ୍ଥା କରିବା ଦରକାର।  ମାତ୍ର ଲୋକଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇ ପାରିବ ନାହିଁ। ଏଥିସହ ସେ ଯୁକ୍ତି ବାଢ଼ିଥିଲେ, ନିଜ ରାଜ୍ୟ ବାହାରେ ଥିବା ବହୁ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ବର୍ଗର ଲୋକେ ଲକଡାଉନ୍ଯୋଗୁଁ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଘୋଷଣା ପରେ ୪୦ ଦିନରୁ  ଅଧିକ ସମୟ ଧରି ସେମାନେ ଅବ୍ୟବସ୍ଥା ଭିତରେ ରହି ସାରିଥିବାରୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ଲାଗି ଅନୁମତି ଦିଆଯିବା ଉଚିତ।