ପରଲୋକରେ ବଲିଉଡ଼ ଅଭିନେତା ଇରଫାନ ଖାନ

ପରଲୋକରେ ବଲିଉଡ଼ ଅଭିନେତା ଇରଫାନ ଖାନ

ବଡ ଖବର ଦେଶ -ବିଦେଶ ମନୋରଞ୍ଜନ

#ପରଲୋକରେ_ବଲିଉଡ଼_ଅଭିନେତା_ଇରଫାନ_ଖାନ             ମୁମ୍ବାଇ  : ବଲିଉଡ଼ ଅଭିନେତା ଇରଫାନ ଖାନଙ୍କର ୫୪ ବର୍ଷ ବୟସରେ ବୁଧବାର ଦିନ ଦେହାନ୍ତ ହୋଇଯାଇଛି । ସେ ଅନେକଦିନ ଧରି ନ୍ୟୁରୋଏଣ୍ଡ୍ରୋକ୍ରାଇନ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ । ତାଙ୍କର ମୃତ୍ୟୁ ଖବର ଫିଲ୍ମ ନିର୍ମାତା ସୁଜିତ ସରକାର ସୋସିଆଲ ମିଡିଆରେ ଟୁଇଟ୍ କରି ଜଣାଇଛନ୍ତି । ସୁଜିତ ସରକାର ଟୁଇଟରେ ଲେଖିଛନ୍ତି ଯେ ମୋର ପ୍ରିୟ ଇରଫାନ, ଆପଣ ଲଢ଼ି ଆସିଲେ । ମୋତେ ଆପଣଙ୍କ ଉପରେ ଗର୍ବ ରହିବ… ଆମେ ପୁଣି ଏକାଠି ହେବା… । ସୁତାପା ଏବଂ ବବଲିଙ୍କୁ ସମ୍ବେଦନା… ଆପଣ ମଧ୍ୟ ଲଢ଼େଇ ଲଢ଼ିଛନ୍ତି, ସୁତାପା ଆପଣ ଏହି ଲଢ଼େଇରେ ଖୁବ ସାହାଯ୍ୟ କରିଛନ୍ତି ।
ନିକଟରେ ଇରଫାନ ଖାନଙ୍କର ସ୍ୱାସ୍ଥ୍ୟ ହଠାତ ଖରାପ ହେବା କାରଣରୁ ତାଙ୍କୁ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ସେ ଆଇସିୟୁରେ ଥିଲେ । ଗତ ଶନିବାର ଦିନ ତାଙ୍କ ମା ସଇଦା ବେଗମଙ୍କର ୯୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଲକ୍ ଡାଉନ କାରଣରୁ ସେତେବେଳେ ଇରଫାନ ଭିଡିଓ କନଫରେନ୍ସିଂ ଦ୍ୱାରା ନିଜ ମା’ଙ୍କର ଅନ୍ତିମ ଦର୍ଶନ କରିଥିଲେ ।
୨୦୧୭ ମସିହାରେ ତାଙ୍କୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ ଟ୍ୟୁମର ହେବାର ଜଣାପଡ଼ିଥିଲା । ସେହି ବର୍ଷ ଜୁନ୍ ମାସରେ ଇରଫାନ ନିଜର ସୁଟିଂ କାମ ଅଧାରେ ଛାଡ଼ି ଚିକିତ୍ସା ପାଇଁ ବିଦେଶ ଯାଇଥିଲେ । ନିଜର ଶାରୀରିକ ସମସ୍ୟା ବିଷୟରେ ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଗତବର୍ଷ ବିଦେଶରୁ ଫେରିବାପରେ ସେ ନିଜ ଫିଲ୍ମ ଅଗ୍ରେଂଜି ମିଡିୟମର ସୁଟିଂ ସମ୍ପୂର୍ଣ୍ଣ କରିଥିଲେ । ଏହିବର୍ଷ ଆରମ୍ଭରୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ନଥିଲେ । ତେଣୁ ସେ ଫିଲ୍ମ ଅଗ୍ରେଂଜି ମିଡିୟମର ପ୍ରମୋଶନ ମଧ୍ୟ କରିପାରିନଥିଲେ । ଏ ବିଷୟରେ ମଧ୍ୟ ସେ ସୋସିଆଲ ମିଡିଆରେ ଜଣାଇଥିଲେ ।
ଗତ ମାର୍ଚ୍ଚ ୧୩ ତାରିଖରେ ରିଲିଜ୍ ହୋଇଥିବା ଫିଲ୍ମ ଅଗ୍ରେଂଜି ମିଡିୟମରେ ଇରଫାନ ଶେଷଥର ପାଇଁ ଦେଖିବାକୁ ମିଳିଥିଲେ । ଦେଶରେ ଲକ୍ ଡାଉନ କାରଣରୁ ଫିଲ୍ମଟି ମାତ୍ର ଦୁଇଦିନ ପାଇଁ ସିନେମା ହଲରେ ଚାଲିଥିଲା । ଏହି ଫିଲ୍ମର ରିଲିଜ୍ ପୂର୍ବରୁ ଇରଫାନ ୟୁଟ୍ୟୁବରେ ନିଜର ଇମୋସନାଲ ମେସେଜ୍ ଦେଇଥିଲେ । ଏହି ମେସେଜରେ ସେ ନିଜର ଅସୁସ୍ଥତା, ଫିଲ୍ମକୁ ନେଇ ତାଙ୍କର ଭଲପାଇବା ଆଦି ଅନେକ ବିଷୟରେ କହିଥିଲେ ।
ଇରଫାନ ଅଭିନୟ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ‘ସଲାମ ବମ୍ବେ’, ‘ମକ୍‌ବୁଲ୍’, ‘ପାନ୍ ସିଂ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ହାଇଦର୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍‌ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।ଭାରତୀୟ ଚଳଚ୍ଚିତ୍ରରେ ଉ‌ଚ୍ଚକୋଟିର ଅଭିନୟ କରିବା ସହ ସେ ‘ସ୍ଲମ୍‌ଡଗ୍ ମିଲିୟନେୟାର୍’, ‘ଜୁରାସିକ୍ ୱାର୍ଲଡ୍’ ‘ଦି ଆମାଜିଙ୍ଗ୍ ସ୍ପାଇଡର୍ ମ୍ୟାନ୍,’’ ଏବଂ ‘ଲାଇଫ୍‌ ଅଫ୍ ପାଇ’ ଭଳି ଆନ୍ତର୍ଜାତିକ ବ୍ଲକ୍‌ବଷ୍ଟର୍‌ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ। ପାନ୍ ସିଂ ତୋମର ପାଇଁ ସେ ନ୍ୟାସନାଲ ଆୱାର୍ଡ଼ ପାଇଥିଲେ । ଏହାବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପାଇଥିଲେ ।