ଚାବାହାର ବନ୍ଦର ଉପରେ କଟକଣା ନ ଲଗାଇବାକୁ ଆମେରିକାକୁ ଭାରତର ଅନୁରୋଧ

ବଡ ଖବର

ନୂଆଦିଲ୍ଲୀ : ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଉତ୍ତେଜନା ହ୍ରାସ ପାଇଥିଲେ ମଧ୍ୟ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଆଉ କେତେକ କଟକଣା ଲଗାଇଛି । ଏହି କଟକଣା ଫଳରେ ଇରାନ ସହିତ ବାଣିଜ୍ୟ କାରବାର ଓ ଟେକନଲୋଜୀ ହସ୍ତାନ୍ତର ଅଧିକ କଷ୍ଟକର ହୋଇଯିବ । ଏହାକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି । କାରଣ ଇରାନର ଚାବାହାର ବନ୍ଦରକୁ ଭାରତ ନିର୍ମାଣ କରିଛି ।

ପୂର୍ବଥର ଭଳି ଏଥର ମଧ୍ୟ ଚାବାହାର ବନ୍ଦରକୁ ଭାରତ ଏହି କଟକଣାରୁ ମୁକ୍ତ ରଖିବ ବୋଲି ଭାରତ ଆଶା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଚାବାହାର ବନ୍ଦରର ଗୁରୁତ୍ୱକୁ ବୁଝି ଆମେରିକା ପୁଣି ଥରେ ଏହାକୁ କଟକଣାରୁ ମୁକ୍ତ ରଖିବ ।
ସୂଚନାଯୋଗ୍ୟ ଯେ ଭାରତ ଚାବାହାର ବନ୍ଦରରେ ଶହ ଶହ କୋଟି ଟଙ୍କା ନିବେଶ କରିଛି ।

ଭାରତ ସରକାରଙ୍କ ଦ୍ୱାରା ଗଠିତ ଇଣ୍ଡିଆ ପୋର୍ଟ୍ସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ଗତବର୍ଷ ଏହି ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରଥିଲା । ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।