କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି : ‘ବନ୍ଦେ ଉତ୍କଳ ଜନନୀ'କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

କ୍ୟାବିନେଟର ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି : ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ବଡ ଖବର ଓଡିଶା

#‘ବନ୍ଦେ_ଉତ୍କଳ_ଜନନୀ’କୁ_ମିଳିଲା_ରାଜ୍ୟ_ସଙ୍ଗୀତ_ମାନ୍ୟତା          ଭୁବନେଶ୍ୱର :  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି । ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ , “ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ ଏବଂ କାନ୍ତକବିଙ୍କର ଏହି କାଳଜୟୀ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି ।ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ଏହାର ଗାୟନ ଅବଧି ସ୍ୱର ତଥା ଶୈଳୀ ଉପରୋକ୍ତ ରେକର୍ଡିଂପ୍ରକାରେ ର୍ନିଦ୍ଧାରିତ ହେବ । ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଭାବରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନାବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ/ଗାନ କରାଯିବ ।ଉଦ୍ଘାଟନୀ, ଉଦ୍ୟାପନୀ ଓ ଉଦ୍ୱୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ । ମାତ୍ର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହି ସଙ୍ଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ ।ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଯିବ ।ଏହିସଙ୍ଗୀତପୋଲିସ୍ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ ।
ଏହା ବ୍ୟତୀତ ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିବେଦନକ୍ରମେ ଗତ ମଇ ୩୦ ତାରିଖ ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ସମଗ୍ର ଓଡିଆଜାତି ସମ୍ପୂର୍ଣ୍ଣ “ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରି ଓଡିଆ ସ୍ୱାଭିମାନକୁ ନଭଶ୍ଚୁମ୍ବୀ କରିପାରିଛନ୍ତି । ଏହା ଓଡିଆ ଜାତି ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ଥିଲା । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡିଆ ଭିଡିଓ ମାଧ୍ୟମରେ ଚିତ୍ରଉତୋଳନ କରି ଓଡିଶା ସରକାରଙ୍କ ପାଖକୁ ପ୍ରେରଣ କରିଥିଲେ । ସେଥିପାଇଁ ରାଜ୍ୟ କ୍ୟାବିନେଟ୍ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି ।
ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବାପାଇଁ ତଥା ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ ଉପରୋକ୍ତ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରୀ କହିଛନ୍ତିି ।