ଆଜିଠୁ ଅନଲକ୍ -୨ : କଡା କଡି ହେଲା ନିୟମ, ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ

ଆଜିଠୁ ଅନଲକ୍ -୨ : କଡା କଡି ହେଲା ନିୟମ, ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ

ବଡ ଖବର ଓଡିଶା

#ଆଜିଠୁ_ଅନଲକ୍ -୨_କଡା_କଡି_ହେଲା_ନିୟମ         ଭୁବନେଶ୍ୱର  :  ବୁଧବାର ଠାରୁ ସାରା ଦେଶରେ ଲାଗୁ ହେବ ଲକ୍ ଡାଉନ୍ -୨ । କେନ୍ଦ୍ର ସରକାରଙ୍କ ଅନ୍ ଲକ୍ -୨ ଗାଇଡ୍ ଲାଇନ୍ ପରେ ମଙ୍ଗଳବାର ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ସେ କହିଛନ୍ତି ଯେ ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପରିଚାଳନା କରିବା ଜରୁରୀ । ପ୍ରତି ଗାଁରେ କୋଭିଡ୍ ମ୍ୟାନେଜମେଂଟ କମିଟି ଗଠନ କରାଯିବ । ମାସ୍କ ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ । ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । ପ୍ରତି ପଂଚାୟତରେ କୋଭିଡ୍ କେୟାର ହୋମ୍ କରାଯିବ । ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ । କୋଭିଡ଼ କେୟାର ହୋମ୍ ଦାୟିତ୍ୱରେ ସରପଂଚମାନେ ରହିବେ ।
ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି ରାଜ୍ୟରେ ମୋଟ୍ ୧୬, ୮୨୪ କ୍ୱାରେଂଟାଇନ ସେଂଟର ରହିଥିଲା । ଏହାକୁ ହ୍ରାସ କରାଯିବ । ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଂଟାଇନରୁ ଡିସଚାର୍ଜ ହେଲେଣି । ମୋଟ୍ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଂଟାଇନ ସେଂଟରରେ ଅଛନ୍ତି । ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ । ସ୍କୁଲ, କଲେଜ ଓ କୋଚିଂ ସେଂଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ । ରେଷ୍ଟୁରାଂଟ ଖୋଲା ରହିବ । ହେଲେ ସେଠାରେ ଖାଇହେବ ନାହିଁ । କେବଳ ଖାଦ୍ୟ ପାର୍ସଲ ନିଆଯାଇ ପାରିବ ।
ସେହିପରି ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ । ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଜୁଲାଇ ମାସରେ ଧରପଗଡ଼ ଜୋରଦାର ହେବ । ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ । ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ । ଓଡ଼ିଶାକୁ ଆଉ ଅଧିକ ବିମାନ ଓ ରେଳ ନଆସିବାକୁ ବ୍ୟବସ୍ଥା କରାଯିବ । କାର୍ଯ୍ୟଳୟରେ କଟକଣା ଉଲ୍ଲଂଘନ ହେଲେ ଅଧିକାରୀ ଦାୟୀ ରହିବେ ।
ଗ୍ରାମାଂଚଳରେ ୧୪ ଦିନିଆ ଆନୁଷ୍ଠାନିକ କ୍ୱାରାଂଟାଇନ୍ ବାଧ୍ୟତାମୂଳକ ହେବ । ସହରାଂଚଳରେ ୧୪ ଦିନିଆ ହୋମ୍ କ୍ୱାରାଂଟାଇନ୍ ସୁବିଧା ରହିବ । ଅନ୍ୟ ରାଜ୍ୟକୁ ଯାଇ ୭୨ ଘଂଟା ମଧ୍ୟରେ ଫେରିଥିବା ସରକାରୀ ଅଧିକାରୀ, ବ୍ୟବସାୟୀ, ବୃତିଧାରୀବ୍ୟକ୍ତିଙ୍କୁ କ୍ୱାରାଂଟାଇନ୍ ରେ ରହିବାକୁ ପଡିବ ନାହିଁ ।
ସେଲୁନ୍, ସ୍ପା, ବିଉଟି ପାରଲ,ର୍ ବିଅର ସପ୍ ଆଦିର ମାଲିକମାନେ ସଂପୂର୍ଣ୍ଣ କରୋନା ପ୍ରତିରୋଧ ବ୍ୟବସ୍ଥା କରିବେ । ପ୍ରତି ଲୋକଙ୍କୁ ସେବା ଦେବା ପରେ ସେ ସ୍ଥାନକୁ ସାନିଟାଇଜ୍ କରିବା ତାଙ୍କର ଦାୟିତ୍ୱ ହେବ । ଏହାର ଉଲଘଂନ ପାଇଁ ସଂପୃକ୍ତ ଦୋକାନ ମାଲିକ ଦାୟୀ ରହିବେ । କୌଣସି ସ୍ଥାନରେ ୭ ରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେନାହିଁ । ବିବାହ ଆଦି କାର୍ଯ୍ୟରେ ୫୦ ରୁ ଅଧିକ ଅତିଥି ଯୋଗଦେଇ ପାରିବେ ନାହିଁ । ମୃତକଙ୍କ ସଂସ୍କାର କାର୍ଯ୍ୟରେ ୨୦ ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ ।
ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାଇବା ଦଣ୍ଡନୀୟ ଅପରାଧ ହେବ, ଏବଂ ଏଥି ପାଇଁ ଆଇନ୍ ଅନୁଯାୟୀ ଜୋରିମାନା ଆଦାୟ ହେବ । ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁକା, ତମାଖୁ ଓ ମଦ ଆଦି ସେବନ କରିବା ପୂର୍ଣ୍ଣ ଭାବେ ନିଷିଦ୍ଧ ରହିବ ।

ରାଜ୍ୟ ଭିତରେ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟ ଭିତରେ ଦ୍ରବ୍ୟ ପରିବହନ ଓ ଲୋକମାନଙ୍କର ଯାତାୟତ ପାଇଁ କୌଣସି ଆଗୁଆ ଅନୁମତି ବା ଅନୁମୋଦନ ଦରକାର ହେବନାହିଁ । ବିଭିନ୍ନ ଜିଲ୍ଲା ଓ ସହରାଂଚଳ ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ବା ପୌର କମିାନର ଆବଶ୍ୟକୀୟ କଟକଣା ଜାରି କରିପାରିବେ । ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପିଡୀତ ଥିବା ବ୍ୟକ୍ତି ମାନଙ୍କୁ ଘରେ ରହିବା ପାଇର୍ ପରାମର୍ଶ ଦିଆଯାଇଛି । କେବଳ ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହିସବୁ ବ୍ୟକ୍ତି ଘରେ ରୁହନ୍ତୁ ।