କରୋନା ସମୟରେ ହେଲିକପ୍ଟରରେ ବୁଲିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ , ଘେରିଲା ବିଜେପି

କରୋନା ସମୟରେ ହେଲିକପ୍ଟରରେ ବୁଲିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ , ଘେରିଲା ବିଜେପି

ବଡ ଖବର ଓଡିଶା

#କରୋନା_ସମୟରେ_ହେଲିକପ୍ଟରରେ_ବୁଲିଲେ_ଯୋଜନା_ବୋର୍ଡ_ଉପାଧ୍ୟକ୍ଷ       ଭୁବନେଶ୍ୱର  :   ଓଡିଶା ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲମ୍ବା ପ୍ରବାସ ପରେ ଗତ ୧୮ ତାରିଖରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି । ସେ ୧୩ ତାରିଖରେ ଭୁବନେଶ୍ୱରରୁ ବାହାରି ଗଜପତି, ତା ପର ଦିନ ରାୟଗଡାର ଗୁଣୁପୁର ଓ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ୧୬ ତାରିଖ ଦିନ ନବରଙ୍ଗପୁର ଉମରକୋଟ, ଝରିଗାଁ ଓ ଦାବୁ ଗାଁ ବିଧାନସଭା ମଣ୍ଡଳୀର ଗସ୍ତ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟସୂଚୀ ଅନୁସାରେ କେବଳ ଗଜପତି, ରାୟଗଡା ଓ ନବରଙ୍ଗପୁରଠାରେ ସରକାରୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଜିଲ୍ଲାପାଳଙ୍କ ସହିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହ ଅନ୍ୟାନ୍ୟ ଯୋଜନାର ସମୀକ୍ଷା କରିବାର ଥିଲା । କୋରାପୁଟ ଦେଇଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ରଖିନଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ୬ ଦିନର ଭ୍ରମଣ କାର୍ଯ୍ୟରେ କେବଳ ୩ ଦିନ ସରକାରୀ ସମୀକ୍ଷା ବୈଠକ ରଖାଯାଇଥିଲା । ଅନ୍ୟାନ୍ୟ ଦିନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭ୍ରମଣ କରିବାର ଥିଲା । ଏହି ଭ୍ରମଣ ସମୟରେ ସେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହିତ ମିଶିଥିବା ଓ ଗୁଡାଏ ଦଳୀୟ କାର୍ଯ୍ୟକ୍ରମ ରଖିଥିଲେ ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି  ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି ।
କୋଭିଡ ମହାମାରୀ ପ୍ରଭାବ ପାଇଁ ଅର୍ଥାଭାବ ଯୋଗୁଁ ରାଜ୍ୟ ସରକାର ବହୁତ ଖର୍ଚ୍ଚ କାଟର ଘୋଷଣା କରିଛନ୍ତି । ତା ମଧ୍ୟରେ ପ୍ରମୁଖ ହେଉଛି ଗସ୍ତ ନକରି ଭିଡିଓ କନଫରେନ୍ସି ଯୋଗେ ବୈଠକ କରିବା । ଜରୁରୀକାଳୀନ ପରିସ୍ଥିତିରେ ଗସ୍ତ ପାଇଁ ସାଧାରଣ ସମୟରେ ଯେଉଁ ପ୍ରାଧିକାରୀ ଅନୁମୋଦନ ଦିଅନ୍ତି, ତାଙ୍କଠୁ ଏକ ପଦ ଉପରିସ୍ଥ ପ୍ରାଧିକାରୀଙ୍କ ଅନୁମୋଦନ କ୍ରମେ ଉଡାଜାହାଜରେ ଯାତ୍ରା କରି ପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି । ଓଡିଶା ସରକାର ୩୧ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ତାଲା ବନ୍ଦ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିବ । ଏପରି ସ୍ଥଳେ ଏମିତି କଣ ଜରୁରୀ ଅବସ୍ଥା ଆସିଲା ଯେ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ନିହାତି ଦରକାର ପଡିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ କିମ୍ବା ରାଜନୈତିକ ସଭା ସମିତି ବାରଣ ଥିବା ସମୟରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଲମ୍ବା ଗସ୍ତ ଓ ଏତେ ଗୁଡାଏ ସରକାରୀ ଓ ରାଜନୈତିକ ସଭା କରିବା ଏହି ଅଂଚଳକୁ ବିପଦ ଡାକିବା ଛଡା କିଛି ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଯୋଜନା ବୋର୍ଡର କାମ ହେଉଛି ପ୍ରଦେଶ ପାଇଁ ଦୀର୍ଘ ମିଆଦି ଯୋଜନାର ଖସଡା ପ୍ରସ୍ତୁତ କରିବା ଯାହାକୁ ନେଇ ପ୍ରଦେଶ ଆଗକୁ ବଢିବ । ତେଣୁ କେନ୍ଦ୍ର ସରକାରଙ୍କ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ତଦାରଖ କରିବା କେତେ ଦୂର ଯତାର୍ଥ ତାହା ପ୍ରଶ୍ନବାଚୀ । ଏଇଠି ଆହୁରି ମଧ୍ୟ ଦେଖାଦେଇଛି ଯେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହିତାଧିକାରୀମାନଙ୍କୁ ରାସନ କାର୍ଡ ବାଂଟୁଛନ୍ତି । ଏହାଦ୍ୱାରା ଗୋଟିଏ ସମ୍ବିଧାନିକ ପଦର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।
ଏହି ଗସ୍ତରେ ସରକାରୀ କାମ କମ ଓ ଦଳୀୟ କାମ ବେଶି ଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ଏହା ତାଙ୍କ ଭ୍ରମଣ ସୂଚୀରୁ ମଧ୍ୟ ପ୍ରତିତ ହେଉଛି, ଯେଉଁଠି ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭ୍ରମଣ କଥା ଉଲ୍ଲେଖ ଅଛି । ଏତଦ ବ୍ୟତୀତ, ତାଙ୍କ ଭ୍ରମଣ ସୂଚୀରେ କେବଳ ରାୟଗଡା ଏବଂ ନବରଙ୍ଗପୁରର ସାଂସଦ, ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ଆମନ୍ତ୍ରଣ କରା ଯାଇଛି, ଯାହାର ସେ ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଛନ୍ତି, ଅଥଚ ଏହି ଅଂଚଳର ବରିଷ୍ଠ ରାଜ୍ୟସଭା ସାଂସଦଙ୍କୁ ଆମନ୍ତ୍ରଣ ନକରିବା ଦର୍ଶାଉଛି ଯେ ଏହା ଆଦୌ ସରକାରୀ କାର୍ଯ୍ୟକ୍ରମ ନଥିଲା । ଏହି ପରିପ୍ରେକ୍ଷୀରେ ଜନସାଧାରଣ ଜାଣିବାକୁ ଚାହ୍ୁଁଛନ୍ତି ଯେ ହେଲିକପ୍ଟର ଭଡା ଖର୍ଚ୍ଚ ଓଡିଶା ସରକାର ବହନ କଲେ କି ରାଜ୍ୟ ସରକାର ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।