ଆଜି ବାତ୍ୟାର ରୂପ ନେବ ଲଘୁଚାପ,୧୨ ଜିଲ୍ଲାକୁ ଆଲର୍ଟ

ଆଜି ବାତ୍ୟାର ରୂପ ନେବ ଲଘୁଚାପ,୧୨ ଜିଲ୍ଲାକୁ ଆଲର୍ଟ

ବଡ ଖବର ଓଡିଶା

#ଆଜି_ବାତ୍ୟାର_ରୂପ_ନେବ_ଲଘୁଚାପ             ଭୁବନେଶ୍ୱର   :  ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲଘୁଚାପ ଶୁକ୍ରବାର ସଂଧ୍ୟାରେ ଅବପାତର ରୂପ ନେଇଛି । ଶନିବାର ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣାପଡ଼ିନାହିଁ । ବାତ୍ୟା ହେଲେ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ବାତ୍ୟା ୧୭ ତାରିଖ ସନ୍ଧ୍ୟାପରେ ଦିଗ ପରିବର୍ତନ କରି ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ  ଗତି କରିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନ୍ (ଏସ୍ଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତିର ଆକଳନ କରିବେ ଏବଂ ଉପକୂଳ ଅଞ୍ଚଳ ନିମ୍ନାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବେ । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବେ । କୋଭିଡ୍-୧୯ ପୃଥକ୍ବାସ କେନ୍ଦ୍ର ପାଇଁ ବ୍ୟବହୃତ ହୋଇଥିବା ପକ୍କାଘର ବ୍ୟତୀତ ଅନ୍ୟ ସୁରକ୍ଷିତ ପକ୍କା ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ସରକାରୀ କୋଠାଘରକୁ ଏହି ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବାକୁ ଚିହ୍ନଟ କରିବେ ।
ସ୍ଥାନାନ୍ତରିତ ହେବାକୁ ଥିବା ଲୋକମାନଙ୍କ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଉଦ୍ଧାରକାରୀ ସରଞ୍ଜାମ, ଜେନେରେଟର ପ୍ରସ୍ତୁତ କରି ରଖାଯିବ । ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଯୋଗାଇ ଦିଆଯିବ । ବୃଦ୍ଧ, ଦିବ୍ୟାଙ୍ଗ, ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନିଆଯିବ ।
ଉପକୂଳ ଜିଲ୍ଲାର ସରକାରୀ କର୍ମଚାରୀମାନେ ସଦର ମହକୁମାରେ ଉପସ୍ଥିତ ରହିବେ । ବାତ୍ୟା ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତି ଆକଳନ କରି ଆବଶ୍ୟକ ସ୍ଥଳେ ଛୁଟିଦିନ ବାତିଲ କରିବେ । ସେହିପରି ଅଗ୍ନିଶମ ସଂସ୍ଥା, ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ପ୍ରସ୍ତୁତ ରହିବେ । ସମ୍ବେଦନଶୀଳ ସ୍ଥାନରେ ସେମାନେ ପୂର୍ବରୁ ମୁତୟନ ହୋଇ ରହିବେ । ଜଳଭଣ୍ଡାରଗୁଡ଼ିକର ନିୟମିତ ତଦାରଖ ଜଳସଂପଦ ବିଭାଗ କରିବେ । ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବେ । ସେହିପରି ଜଳସ୍ତରର ସ୍ଥିତି ସଂପର୍କରେ ଜଣାଇବେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ସ୍ତରର ଚିକିତ୍ସାଳୟର ଆବଶ୍ୟକୀୟ ଔଷଧ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ର ନିୟୋଜନ, ମେଡିକାଲ୍ ରିଲିଫ୍ କେନ୍ଦ୍ର ସଂପର୍କରେ ସୁନିଶ୍ଚିତ କରିବେ । ରାଜ୍ୟ ଓ ଜିଲ୍ଲାରେ ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବ୍ଲେଟ୍, ଚୂନ ଇତ୍ୟାଦି ମହଜୁଦ ରଖାଯିବ । ସଦର ମହକୁମାରେ ବାତ୍ୟାଜନିତ ରୋଗର ଆବଶ୍ୟକୀୟ ଔଷଧ, ଜଳବିଶୋଧକ, ସର୍ପାଘାତ ଔଷଧ ମହଜୁଦ ରଖାଯିବ । ପିଏଚସି, ସିଏଚସି ଏବଂ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିନ୍ତ କରିବାକୁ କୁହାଯାଇଛି ।
ପଶୁଚିକିତ୍ସାଳୟରେ ଔଷଧ ଏବଂ ଗୋରୁଗାଈଙ୍କ ପାଇଁ ଟୀକା ମହଜୁଦ ରଖାଯିବ । ଗୋଖାଦ୍ୟ ଯୋଗାଣକାରୀଙ୍କ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବେ । ଏହି ବିଭାଗଗୁଡ଼ିକ କମ୍ ସମୟ ମଧ୍ୟରେ ରିଲିଫ୍ ଯୋଗାଇବା ରାସ୍ତାକୁ ସଫା କରିବା ନିମନ୍ତେ ତକ୍ରାଳ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବେ । ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ରହିଥିବା ଜରୁରୀ ଯନ୍ତ୍ରପାତି ଏବଂ ମେସିନ୍ଗୁଡ଼ିକର ତାଲିକା ପ୍ରସ୍ତୁତ କରି ଜିଲ୍ଲା ସଦର କାର୍ଯ୍ୟାଳୟରେ ରଖାଯିବ । ଯଦି ରାସ୍ତା ନଷ୍ଟ ଏବଂ ଅବରୋଧ ହୁଏ ତେବେ ଏହି ବିଭାଗସବୁ ଆଗୁଆ ଭାବେ ରାସ୍ତା ସୁଗମ କରିବା ସହ ଆବର୍ଜନା ସଫେଇ କରିବେ ।
ଶିଶୁ, ମହିଳା ଓ ଅନ୍ୟ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ଯତ୍ନର ବ୍ୟବସ୍ଥା ମହିଳା ଓ ଶିଶୁ ବିକାଶ ବିଭାଗ କରିବେ । ଆଶ୍ରୟ ସ୍ଥଳକୁ ଶିଶୁ, ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯତ୍ନ ନିଅ ।ଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଗମ୍ୟ ଅଂଚଳରେ ସାଧାରଣ ବଂଟନ ଓ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୁନିଶ୍ଚିତ କରିବେ । ପେଟ୍ରୋଲ୍ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ୍ ଓ ପେଟ୍ରୋଲ୍ ମହଜୁଦ୍ ରଖିବେ । ଚୁଡ଼ା, ଗୁଡ଼, ଦିଅ ।ସିଲି ଯୋଗାଣକାରୀମାନଙ୍କର ତାଲିକା ପ୍ରସ୍ତୁତ ରଖିବେ ।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଆଖିରେ ରଖି ଅମଳ ହୋଇଥିବା ଧାନକୁ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରାଯିବ । ଧାନଗୁଡ଼ିକୁ ଅନ୍ତତଃ ପକ୍ଷେ ୧୫ ଦିନ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପଲିଥିନ୍ ଓ ତାର୍ପୋଲିନ୍ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଯୋଗାଇ ଦେବେ ।
ବାତ୍ୟା ସମୟରେ ଟେଲି ଯୋଗାଯୋଗକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ବିଏସ୍ଏନ୍ଏଲ୍ କର୍ତୃପକ୍ଷ ଓ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଏସ୍ଏନ୍ଏଲ୍ ଟାୱାରଗୁଡ଼ିକୁ ଆଗୁଆ ଯାଂଚ କରିବେ ଏବଂ ପ୍ରବଳ ବାତ୍ୟାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବେ । ମୋବାଇଲ୍ ଟାୱାରର ବିକଳ୍ପ ବ୍ୟବସ୍ଥା ଏସବୁ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତ ରଖିବେ । ପୋଲିସ୍ ଯୋଗାଯୋଗ ନେଟ୍ୱାର୍କ ସାଟେଲାଇଟ୍ ଫୋନ୍କୁ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା ଭାବେ ବ୍ୟବହାର କରାଯିବ । ସମସ୍ତ ଜିଲ୍ଲାପାଳ ଓଡ୍ରାଫ୍ ୟୁନିଟ୍ ଏବଂ ରାଜ୍ୟସ୍ତରୀୟ ପ୍ରମୁଖ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ପାଖରେ ସାଟେଲାଇଟ୍ ଫୋନ୍ ପ୍ରସ୍ତୁତ ରହିବ । ଯୋଗାଯୋଗ ବ୍ୟବସ୍ଥା ବ୍ୟାଘାତ ଘଟିଲେ ପୋଲିସ୍ ଯୋଗାଯୋଗ ନେଟ୍ ୱାର୍କ ବ୍ୟବସ୍ଥାର ବ୍ୟବହାର କରାଯିବ ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ବିପର୍ଯ୍ୟୟ ପରିଚାଳନା), ପୋଲିସ୍ ମହାନିର୍ଦ୍ଦେଶକ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ, ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ, ମତ୍ସ୍ୟ ଓ ପାଣୀସଂପଦ ବିକାଶ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କମିଶନର ତଥା ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, କମାଣଣ୍ଡାଂଟ ଏନ୍ଡିଆର୍ଏଫ୍ ନିର୍ଦ୍ଦେଶକ ଆଇଏମ୍ଡି, ଭୁବନେଶ୍ୱର ଉପସ୍ଥିତ ଥିଲେ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନେ କନ୍ଫରେନ୍ସ ମାଧ୍ୟମରେ ଏଥିରେ ଭାଗ ନେଇଥିଲେ ।