ପଞ୍ଜାବରେ ଭୟଙ୍କର ବିସ୍ଫୋରଣ ୧୫ ମୃତ

ଅପରାଧ ଦେଶ -ବିଦେଶ ବଡ ଖବର

ଅମୃତସର: ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ତରନ ତାରନ ଜିଲ୍ଲାରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇ ଆହତ ହୋଇଛନ୍ତି। ଆହତମାନେ ଅମୃତସର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ବାବଦରେ ସ୍ପଷ୍ଚ କରାଯାଇଛି।

ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମ ଜୟନ୍ତୀ  ଅବସରରେ କୀର୍ତ୍ତନ ହେଉଥିଲା। ଟ୍ରାକ୍ଟର ଟ୍ରଲିରେ ବାଣ ସହିତ ଶ୍ରଦ୍ଧାଳୁମାନେ ନଗର ପରିକ୍ରମା କରୁଥିଲେ। ହଠାତ୍ ବାଣ ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିବାରୁ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିଥିଲା।

ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ନଗର କୀର୍ତ୍ତନ ଅବସରରେ ଲୋକମାନେ ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଭର୍ତ୍ତି ଟ୍ରାକ୍ଟର ଟ୍ରଲି ଯାଉଥିଲା। ରାସ୍ତା ପାର୍ଶ୍ୱରେ ଥିବା ଲୋକମାନେ ଯେଉଁ ବାଣ ଫୁଟାଉଥିଲେ ସେହି ବାଣରୁ ହାଲକା ନିଆଁ ଖସି ଆସି ଟ୍ରାକ୍ଟର ଟ୍ରଲିରେ ପଡ଼ିଥିଲା।

ଏହାପରେ ଟ୍ରଲିରେ ଥିବା ବାଣ ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିଥିଲା। ଫଳରେ ହଠାତ୍ ଟ୍ରାକ୍ଟରର ଚକ ବିସ୍ଫୋରଣ କରିଥିଲା। ଟ୍ରଲିରେ ଉପସ୍ଥିତ ଥିବା ୧୫ରୁ ଅଧିକ ଶ୍ରଦ୍ଧାଳୁ ଏହି ବିସ୍ପୋରଣର ଶିକାର ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୨ରୁ ୧୫ ବର୍ଷୀୟ ଛୋଟ ଛୁଆ ମଧ୍ୟ ରହିଛନ୍ତି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୁଲିସ ପ୍ରଶାସନ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପାଖରେ ଥିବା ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପୁଲିସ ଏବେ ବିସ୍ଫୋରଣର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ତରନ ତାରନର ବିଧାୟକ ଡକ୍ଟର ଧର୍ମବୀର ଅଗ୍ନିହୋତ୍ରୀ ମଧ୍ୟ ବିସ୍ଫୋରଣ ବେଳେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ବୁଝିବେ ବୋଲି ଘୋଷଣା କରିଛନ୍ତି।