ପୁଣି ନିଆଁରେ ଜଳିଗଲେ ଆଉ ଜଣେ ବୋହୂ

ଅପରାଧ ଓଡିଶା ବଡ ଖବର

କେନ୍ଦ୍ରାପଡ଼ା : ବାପାଘରକୁ ଏତେ ସୁନା କାହିଁକି ପିନ୍ଧି ଯାଉଛୁ ବୋଲି ପଚାରି ଆରମ୍ଭ ହୋଇଥିବା ନିର୍ଯାତନା, ବୋହୂକୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମରେ ଶେଷ ହେଲା । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁରୁ । ବୋହୂ ରଶ୍ମିତାଙ୍କୁ ତାଙ୍କ ଶାଶୁ, ଶ୍ୱଶୁର, ନଣନ୍ଦ ଓ ନଣନ୍ଦେଇ କିରୋସିନି ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଏବେ ପୀଡ଼ିତା କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ, ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ଗାଁକୁ ଦେଢ଼ ବର୍ଷ ତଳେ ବୋହୂ ହୋଇଯାଇଥିବା ରଶ୍ମିତା ଦାସଙ୍କୁ ଗତ ଶନିବାର ତାଙ୍କ ଶାଶୁ, ଶ୍ୱଶୁର, ଦୁଇ ନଣନ୍ଦ ଓ ଜଣେ ନଣନ୍ଦେଇ ମିଳିମିଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ରଶ୍ମିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ, ସଂକଟାପନ୍ନ ଅବସ୍ଥାରେ ସେ କଟକ ଏସ୍‌ସିବି ମେଡିକାଲ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି।

୨୦୧୮ ଜୁନ୍‌ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ।  ଏବେ ବିକ୍ରମ ବିଦେଶରେ କ୍ୱାତାରରେ ଅଛନ୍ତି।  ଏପଟେ ଶାଶୂଘରେ ରହୁଥିବା ରଶ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ସମୟରେ ଗାଳି ଗୁଲଜ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।  ଗତ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବାପା ଘରକୁ ଯିବାକୁ ବାହାରିବାରୁ, ଏତେ ସୁନାଗହଣା କାହିଁକି ପିନ୍ଧିଛୁ ବୋଲି ପଚାରି ଶାଶୂ ଓ ଶ୍ୱଶୁର ଗାଳିଗୁଲଜ କରିଥିଲେ।  ଆଉ ଶେଷରେ ରାକ୍ଷସ ପାଲଟିଯାଇଥିଲେ ୫ଜଣ ଅଭିଯୁକ୍ତ।

ରାଜନଗର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଶାଶୂ, ଶ୍ୱଶୁର ଓ ଜଣେ ନଣନ୍ଦକୁ ଗିରଫ କରିଛି ।  ଆଉ ଜଣେ ନଣନ୍ଦ ଓ ନଣନ୍ଦେଇ ଫେରାର୍ ଅଛନ୍ତି।  ତେବେ ଏନେଇ ପୁଲିସ ମୁହଁ ଖୋଲିବାକୁ ମନା କରିଦେଇଛି।