ବାଂଲାଦେଶରୁ ଖୋଜିଖୋଜି ଝାରପଡ଼ା ଜେଲରେ ଝିଅକୁ ଭେଟିଲେ ବାପା

ଅପରାଧ ଓଡିଶା ବଡ ଖବର

ଭୁବନେଶ୍ୱର: ଦଲାଲ ଜଣେ ଝିଅଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବାଂଲାଦେଶରୁ କୋଲକାତା ଆଣିବା ପରେ ତାଙ୍କୁ ଏଭଳି ଏକ ପେସାରେ ନିୟୋଜିତ କରାଇଥିଲା ଯେ ସେ ସେଥିରୁ ଚେଷ୍ଟା କରି ବି ବାହାରି ପାରି ନ ଥିଲେ। ଏବେ ଉକ୍ତ ଝିଅ କୋଲକତାରୁ ଭୁବନେଶ୍ୱର ଆସି ଦେହ ବ୍ୟବସାୟର ଅନ୍ଧକାର ଗଳିରେ ଫସି ଯାଇଛନ୍ତି। ଆଉ ଦୁଃଖର ବିଷୟ କି ଝିଅକୁ ଖୋଜିଖୋଜି ବାପା ବାଂଲାଦେଶରୁ ଓଡ଼ିଶା ଧାଇଁ ଆସିଛନ୍ତି ।

କିଛି ଦିନ ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ବାଂଲାଦେଶୀ ଯୁବତୀ ଗିରଫ ହୋଇଥିଲେ। ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଘଟଣା ପଛର କାହାଣୀ ସାମ୍ନାକୁ ଆସିଥିଲା । ଏହି ବାଂଲାଦେଶୀ ଯୁବତୀଙ୍କୁ ବେଆଇନ ଭାବେ ବାଂଲାଦେଶରୁ ଆସି ରହୁଥିବା ଅଭିଯୋଗରେ ଲକ୍ଷ୍ମୀସାଗର ପୁଲିସ ଗିରଫ କରିଥିଲା । ଗିରଫ ହେବା ପରେ ଯୁବତୀ ଜଣକ ଝାରପଡ଼ା ଜେଲରେ ଅଛନ୍ତି ।

ଝିଅ ସହିତ ପରିବାରର କୌଣସି ଯୋଗାଯୋଗ ହୋଇ ନ ପାରିବାରୁ ତାକୁ ଖୋଜିବାକୁ ଲାଗିଥିଲେ ତାର ବାପା । ଶେଷରେ ବୃଦ୍ଧା ବାପା ଝିଅ ପାଇଁ ବାଂଲାଦେଶରୁ ଆସି ଓଡ଼ିଶାରେ ପହଞ୍ଚିଥିଲେ। ଝିଅ ବିଷୟରେ ସମସ୍ତ ଖବର ଏକାଠି କରିବା ପରେ ତାଙ୍କୁ ଝାରପଡ଼ା ଜେଲରେ ଭେଟି ଥିଲେ। ଝିଅଙ୍କୁ ସେଠାରେ ଭେଟିବା ପରେ କେମିତି ଜେଲରୁ ତାଙ୍କୁ ମୁକୁଳାଇବେ ସେ ନେଇ ବୃଦ୍ଧ ବାପା ଜଣେ ଓକିଲଙ୍କ ସହ ପରାମର୍ଶ କରିଥିବା ସୂଚନା ମିଳିଛି ।

ତେବେ ବଡ଼ କଥା ହେଉଛି ଏହି ଯୁବତୀଙ୍କୁ ଗିରଫ କରିବା ପରେ ଏକ ଆନ୍ତର୍ଜାତୀୟ ସେକ୍ସ ରାକେଟର ଠାବ କରିଥିଲା ପୁଲିସର ଏସଟିଏଫ । ଆଉ ପୁରୁଣା ଭୁବନେଶ୍ୱର ଅଂଚଳରୁ ୬ ଜଣ ବାଂଲାଦେଶୀ ଦେହଜୀବୀଙ୍କୁ ଗିରଫ କରାଯାଇଥିଲା । ଏହି ୬ ଜଣ ଯୁବତୀଙ୍କୁ ଏବେ ସୁଧାର ଗୃହରେ ରଖାଯାଇଛି।