ଟିକ୍ ଟକ୍ ଉପରେ ନିୟନ୍ତ୍ରଣ ପାଇଁ ହାଇକୋର୍ଟଙ୍କ ରାୟ

ଟିକ୍ ଟକ୍ ଉପରେ ନିୟନ୍ତ୍ରଣ ପାଇଁ ହାଇକୋର୍ଟଙ୍କ ରାୟ

ଅପରାଧ ଓଡିଶା

#ଟିକ୍_ଟକ୍_ଉପରେ_ନିୟନ୍ତ୍ରଣ_ପାଇଁ_ହାଇକୋର୍ଟଙ୍କ_ରାୟ             କଟକ: ଏକ ଗୁରୁତ୍ବ ପୂର୍ଣ୍ଣ ରାୟ କ୍ରମେ ‘ଟିକ୍ ଟକ୍’କୁ  ନିୟନ୍ତ୍ରଣ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଅନେକ ସମୟରେ ସଂସ୍କୃତି ଅପକ୍ଷୟର ସୂଚକ ହେଉଥିବା ତଥା ଯୌନଚିତ୍ର ପ୍ରସାରଣ ବୃଦ୍ଧି କରୁଥିବା ‘ଟିକ୍ ଟକ୍’ ମୋବାଇଲ ଆପ୍‌ର କିଶୋରଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବାରୁ ରୋକିବା ପାଇଁ ଯଥାର୍ଥ ଭାବେ ଏହାକୁ ନିୟନ୍ତ୍ରିତ କରିବା ଉଚିତ ବୋଲି ଏହି ରାୟରେ କୁହାଯାଇଛି। ଟିକ୍ ଟକ୍ ଯୋଗୁଁ ଏକ ଆତ୍ମହତ୍ୟା ହୋଇଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳାଙ୍କ ଜାମିନ ଆବେଦନର ଶୁଣାଣି ଅବସରରେ  ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ଦେଇଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏଭଳି ଆବେଦନ ଗୁଡିକୁ ପ୍ରସାର ଓ ବୃଦ୍ଧି କରୁଥିବା କମ୍ପାନି ଗୁଡିକୁ ନିୟନ୍ତ୍ରଣ କରିବା ସରକାରଙ୍କ ସାମାଜିକ ଦାୟିତ୍ବ। ଏଭଳି ଅପରାଧିକ କାର୍ଯ୍ୟକାଳାପ ଉପରେ ଅଙ୍କୁଶ ପାଇଁ ଇନଫର୍ମେସନ୍ ଟେକ୍‌ନୋଲୋଜି ଆକ୍ଟ, ୨୦୦୦ର ବିଶେଷ କରି ଧାରା ୬୬କ, ୬୭ ଓ ୬୭କ ରହିଛି। ବ୍ୟକ୍ତିଗତ ଗୋପନ ତଥ୍ୟ ନିୟମ ଉଲ୍ଲଂଘନ, ପ୍ରଘଟ/ପ୍ରକାଶ ଓ ପ୍ରାସରଣ ପାଇଁ ଏଥିରେ ଦଣ୍ଡାଦେଶ ବ୍ୟବସ୍ଥା ରହିଛି। କିନ୍ତୁ ଏହି ବ୍ୟବସ୍ଥା ଯଥେଷ୍ଟ ନୁହେଁ। ସାଇବର ଧମକ  ଭଳି ଅପରାଧର ମୁକାବିଲା ପାଇଁ ଭାରତରେ ସ୍ବତନ୍ତ୍ର ଆଇନର ଅଭାବ ରହିଛି ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ,ଅନେକ ସମୟରେ ଏପରି ଅପରାଧିକ ଘଟଣା ପ୍ରସଙ୍ଗରେ ତଦନ୍ତକାରୀ ସଂସ୍ଥାର ପାରମ୍ପରିକ ଶୈଳୀକୁ ନେଇ ମଧ୍ୟ ଅଙାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଅଧିକାଂଶ ତଦନ୍ତକାରୀ ଅଧିକାରୀ ଉତ୍ତମଭାବେ ତାଲମିପ୍ରାପ୍ତ ହୋଇ ନଥିବା ବେଳେ ସେମାନେ ସାଇବର ଅପରାଧର ଅର୍ଥ ବୁଝି ପାରି ନଥାନ୍ତି। ଏଭଳି ଘଟଣାର ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ ନିୟମିତ ଭାବେ ତାଲିମ ପ୍ରଦାନ କରାଗଲେ ବୈଷୟିକ-ଆଇନଗତ ପ୍ରସଂଗରେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ। ଏଥି ସହିତ ସାଇବର ଇଣ୍ଟଲିଜେନ୍ସ, ସାଇବର ଫରେନସକ୍ସ ଓ ସାଇବର ପ୍ରସିକ୍ୟୁସନ୍ ଟ୍ରେନିଂରେ ଅଗ୍ରଗତି ଦ୍ବାରା ସାଇବର ପୁଲିସିଂର ମାନ ବଢିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାରେ ଅଭିଯୁକ୍ତ ମହିଳାଙ୍କୁ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହି ରାୟ ମାମଲାର ଶୁଣାଣି (ଟ୍ରାଏଲ)କୁ କୌଣସି ଭାବେ ପ୍ରଭାବିତ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପଦ୍ମଲୋଚନ ବାରିକଙ୍କ ବିବାହ ୨୦୧୯, ଫେବ୍ରୁଆରି ୨୧ରେ ଆବେଦନକାରୀ ମହିଳାଙ୍କ ସହିତ ହୋଇଥିଲା। ଜଣେ ପୂର୍ବ ପୁରୁଷ ବନ୍ଧୁଙ୍କ ସହିତ ଆବେଦନକାରୀଙ୍କ ବ୍ୟକ୍ତିଗତ ଟିକ୍‌ ଟକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ପୁରୁଷ ବନ୍ଧୁ ଉପେନ୍ଦ୍ର ମହାନନ୍ଦ ଏପରି ଭିଡିଓ ପଦ୍ମଲୋଚନଙ୍କ ନିକଟକୁ ମଧ୍ୟ ପଠାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପତ୍ନୀଙ୍କ ଟିକ୍ ଟକ୍ ଭିଡିଓ ଯୋଗୁଁ ମାନସୀକ ଚାପର ବଶବର୍ତ୍ତୀ ହୋଇ ଶେଷରେ ପଦ୍ମଲୋଚନ ୨୦୧୯, ଜୁଲାଇ ୧୩ରେ ସିଲିଂ ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଏ ନେଇ ଧନୁପାଲୀ ଥାନାରେ ଆଇପିସର ଧାରା ୩୦୬, ୩୪ରେ ମାମଲା ରୁଜୁ କରାଯାଇଥିଲା। ୨୦୨୦, ଜାନୁଆରି ୧୪ରେ ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଟିକ୍ ଟକ୍ ଭିଡିଓକୁ ନେଇ ଏହି ଘଟଣା ଘଟିଥିବା ତଥ୍ୟ ପ୍ରମାଣରୁ ‌ସ୍ପଷ୍ଟ ହୋଇଥିବା ବେଳେ ଏହି ପ୍ରସଂଗକୁ କିନ୍ତୁ ତଦନ୍ତ ପ୍ରକ୍ରିୟାରେ ବିଶେଷ ଗୁରୁତ୍ବ ଦିଆଯାଇ ନଥିବା ଜଣା ପଡିଥିଲା।